ନୂଆଦିଲ୍ଲୀ: ସମସ୍ତେ ନିଜ ପିଲାଙ୍କ ପାଇଁ ଜୋତା କଣିଲା ବେଳେ ଗୋଟିଏ ସାଇଜର ବଡ଼ ଜୋତା କିଣିଥାନ୍ତି କାରଣ ସେହି ଜୋତାକୁ ଗୋଟେ କି ଦୁଇ ବର୍ଷ ପାଇଁ ଆରାମରେ ପିନ୍ଧିହେବ। ଏଭଳି କରିବା ଦ୍ୱାରା ପିଲାମାନଙ୍କୁ କେତେବେଳେ ଢ଼ିଲା ଜୋତା ତ କେତେବେଳେ ଟାଇଟ ଜୋତା ପିନ୍ଧିବାକୁ ପଡ଼ିଥାଏ। ଏହିସବୁ ସମସ୍ୟାର ସମାଧାନ ପାଇଁ ବାଟ ବାହାର କରିଛନ୍ତି ପୁନେର ସତ୍ୟଜିତ୍ ମିତ୍ତଲ। ତାଙ୍କର ଷ୍ଟାର୍ଟଅପ୍ କମ୍ପାନି ଆରେଟୋ ଏପରି ଜୋତା ତିଆରି କରିଛି ଯାହା ପିଲାମାନଙ୍କର ପାଦ ସହିତ ତାଳ ଦେଇ ବଢ଼ିଥାଏ ଏବଂ ସେମାନଙ୍କ ପାଦରେ ତିନିଟି ସାଇଜ ପର୍ଯ୍ୟନ୍ତ ଫିଟ୍ ଆସିଥାଏ।
ସୂଚନାନୁସାରେ, ୩୦ ବର୍ଷୀୟ ସତ୍ୟଜିତ୍ ଦୁଇ ବର୍ଷ ପୂର୍ବେ ମାର୍କେଟ ରିସର୍ଚ କରିଥିଲେ ସେତେବେଳେ ସେ ଜାଣିବାକୁ ପାଇଲେ ଯେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଲୋକମାନେ ଏହି ସମସ୍ୟାରେ ପଡ଼ିଛନ୍ତି। ତାଙ୍କ ପିଲାଦିନର ବନ୍ଧୁ କ୍ରିତିକା ଲାଲଙ୍କ ସହ ମିଶି ପ୍ରାୟ ଦୁଇ ବର୍ଷର ଗବେଷଣା ଏବଂ ଅନେକ ଡାକ୍ତରଙ୍କ ମତାମତ ନେବା ପରେ ସତ୍ୟଜିତ୍ ମିତ୍ତଲ ନିଜର ଲ୍ୟାବରେ ଏହି ଉତ୍କୃଷ୍ଟ ଜୋତା ତିଆରି କରିବା କାର୍ଯ୍ୟ ଆରମ୍ଭ କରିଥିଲେ। ସତ୍ୟଜିତ୍ କହିଛନ୍ତି ଯେ, ''ଗୋଟିଏ କଢ଼କୁ ଯେପରି ଫୁଲ ହେବା ପାଇଁ ସମୟ ଲାଗିଥାଏ ଏବଂ ଧୀରେ ଧୀରେ ସେ ବଢ଼ିଥାଏ ଠିକ ସେହି କୌଶଳକୁ ଜୋତାରେ ସମାନ ଭାବରେ ବ୍ୟବହାର କରିଛନ୍ତି । ଜୋତାର ଉପର ଭାଗରେ ୩ଡି କପଡ଼ା ବ୍ୟବହାର କରାଯାଇଛି । ଜୋତାକୁ ପିଲାଙ୍କ ପାଦ ଅନୁଯାୟୀ ବିସ୍ତାର କରିବା ଏବଂ ତିନୋଟି ସାଇଜ ପର୍ଯ୍ୟନ୍ତ ଆରାମରେ ଫିଟ୍ ଆସିବାରେ ସାହାଯ୍ୟ କରିଥାଏ ।''
ସତ୍ୟଜିତ୍ ଅଗଷ୍ଟ ୨୦୨୨ରେ ଆରେଟୋ ବ୍ରାଣ୍ଡ ନାମରେ ଏହି ଜୋତାକୁ ବିକ୍ରି କରିବା ଆରମ୍ଭ କରିଥିଲେ । କେବଳ ଗୋଟିଏ ବର୍ଷ ମଧ୍ୟରେ ସେମାନେ ପିଲା ଏବଂ ପିତାମାତାଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ପାଇଛନ୍ତି। ସେ ଏହାକୁ ଅନଲାଇନ୍, ଅଫଲାଇନ୍ ଏବଂ ବିଦ୍ୟାଳୟରେ ବିକ୍ରି କରୁଛନ୍ତି । ବର୍ତ୍ତମାନ ଅଷ୍ଟ୍ରେଲିଆ, ଜାପାନ, ଚୀନ୍ ସମେତ ୮ଟି ଦେଶରେ ପହଞ୍ଚାଇବା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ସେ ଏହି ମେଡ୍ ଇଣ୍ଡିଆ ବ୍ରାଣ୍ଡକୁ ବିଶ୍ୱର ବିଭିନ୍ନ ଦେଶରେ ବିକ୍ରି କରି ଏହାକୁ ଏକ ବିଶ୍ୱ ବ୍ରାଣ୍ଡ କରିବାକୁ ଚାହୁଁଛନ୍ତି।