ସହଯୋଗୀ ମହିଳା ପାଇଲଟଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରାଇବାରେ ମୁଖ୍ୟପାଇଲଟ ବିଫଳ ହୋଇ ଭାଙ୍ଗିପଡ଼ିବା ପରେ ୟୁଏସ୍‌-ବାଂଲା ବିମାନ ହୋଇଥିଲା ଦୁର୍ଘଟଣାଗ୍ରସ୍ତ, ଚାଲିଯାଇଥିଲା ୫୧ ଜଣଙ୍କ ଜୀବନ

କାଠମାଣ୍ଡୁ (ନେପାଳ): କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତିକ ବିମାନ ବନ୍ଦରରେ ଗତ ମାର୍ଚ୍ଚ ୧୨ ତାରିଖରେ ଘଟିଥିବା ୟୁଏସ୍‌- ବାଂଲା ବିମାନ ଦୁର୍ଘଟଣାର ପ୍ରମୁଖ କାରଣ ଥିଲେ ସଂପୃକ୍ତ ବିମାନର ମୁଖ୍ୟ ପାଇଲଟ! ଏହି ଦୁର୍ଘଟଣାର କାରଣ ଖୋଜିବା ଚାଲିଥିବା ତଦନ୍ତର ରିପୋର୍ଟ ‘ଲିକ୍‌’ ହୋଇଯିବା ପରେ ଏବେ ତଥ୍ୟ ପଦାକୁ ଆସିଛି।

‘ଲିକ୍‌’ ହୋଇଯାଇଥିବା ତଦନ୍ତ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ବିମାନର ମୁଖ୍ୟ ପାଇଲଟ ତଥା ପ୍ରଶିକ୍ଷକ ଥିବା ଅବିଦ୍‌ ସୁଲତାନ୍‌ ତାଙ୍କ ସହଯୋଗୀ ମହିଳା ପାଇଲଟ୍‌ ପୃଥୁଳା ରସିଦ୍‌ଙ୍କୁ ତାଙ୍କ ଆଡ଼କୁ ଆକୃଷ୍ଟ କରିବା ପାଇଁ ବିମାନ ଉଡ଼ାଣ ଆରମ୍ଭ କରିବା ପୂର୍ବରୁ ତାଙ୍କ ସହ ଅନର୍ଗଳ ଗପି ଚାଲିଥିଲେ। ତେବେ, ମୁଖ୍ୟ ପାଇଲଟ ଅବିଦ୍‌ଙ୍କ ଗପରେ ଅତିଷ୍ଠ ହୋଇ ସହଯୋଗୀ ମହିଳା ପାଇଲଟ ପୃଥୁଳା ରସିଦ୍‌ ତାଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଥିଲେ। ମହିଳା ପାଇଲଟ୍‌ ପୃଥୁଳା ତାଙ୍କୁ କହିଥିଲେ ଯେ ବିମାନର ଉଡ଼ାଣ ସମୟରେ ବିମାନ ମଝି ଆକାଶରେ ଥିବା ବେଳେ ଯେଉଁ ମୁଖ୍ୟ ପାଇଲଟ ଏତେ ଗପୁଛି ସେ କି ପାଇଲଟ ଓ କେଉଁ ଧରଣର ପ୍ରଶିକ୍ଷକ? ମୋତେ ଆପଣଙ୍କର ଯୋଗ୍ୟତା ଉପରେ ସନ୍ଦେହ ହେଉଛି ବୋଲି ମହିଳା ସହଯୋଗୀ ପାଇଲଟ ପୃଥୁଳା ରସିଦ୍‌ କହିଥିଲେ ମୁଖ୍ୟ ପାଇଲଟ୍‌ ଅବିଦ୍‌ଙ୍କୁ।

ତେବେ, ସହଯୋଗୀ ମହିଳା ପାଇଲଟ ପୃଥୁଳାଙ୍କର ଏହି ପଦକ କଥା ମୁଖ୍ୟ ପାଇଲଟ ଅବିଦ୍‌ଙ୍କ ହୃଦୟରେ ଗଭୀର ଆଘାତ ଦେଇଥିଲା। ସେ ବିମାନର ଉଡ଼ାଣକୁ ସଂପୂର୍ଣ୍ଣ ରୂପେ ସହଯୋଗୀ ମହିଳା ପାଇଲଟଙ୍କ ହାତରେ ଛାଡ଼ି ଦେଇଥିଲେ। ମହିଳା ସହଯୋଗୀ ପାଇଲଟ ପୃଥୁଳାଙ୍କ ଠାରୁ ଏ ପ୍ରକାର କଥା ଶୁଣିବା ପରେ ମୁଖ୍ୟ ପାଇଲଟ୍‌ ଅବିଦ୍‌ ଭାଙ୍ଗି ପଡ଼ିବା ସହ କାନ୍ଦିବାକୁ ଲାଗିବା ସହ କକ୍‌ପିଟ ଭିତରେ ଗୋଟାଏ ପରେ ଗୋଟାଏ ସିଗାରେଟ ଟାଣିବାକୁ ଲାଗିଥିଲେ। ମୁଖ୍ୟ ପାଇଲଟ୍‌ ଅବିଦ୍‌ ଏତେ ପରିମାଣରେ ସିଗାରେଟ ଟାଣିବାକୁ ଲାଗିଲେ ଯେ ତାଙ୍କର କାଶ ଉଠି ସେ ଅସୁସ୍ଥ ହୋଇ ପଡ଼ିଲେ। ବିମାନ ଅବତରଣ କରିବାକୁ ଯାଉଥିବା ବେଳେ ମଧ୍ୟ ସେ ନିଜ ନିୟନ୍ତ୍ରଣରେ ନଥିଲେ। ଫଳରେ ସହଯୋଗୀ ମହିଳା ପାଇଲଟ ପୃଥୁଳା ବିମାନକୁ ଅବତରଣ କରାଉଥିବା ବେଳେ ବିମାନଟି ରନ୍‌େଓ୍ଵ ଉପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। କାରଣ, ପୃଥୁଳା ନୂଆ ନୂଆ ପାଇଲଟ ହୋଇଥିଲେ। କାଠମାଣ୍ଡୁର ବିପଦଜନକ ତ୍ରିଭୁବନ ଅନ୍ତର୍ଜାତିକ ବିମାନ ବନ୍ଦରରେ ସେ ପୂର୍ବରୁ କେବେ ବି କୌଣସି ବିମାନର ଅବତରଣ କରାଇ ନଥିଲେ। ଯାହା ଫଳରେ ଅଭିଜ୍ଞତା ଶୂନ୍ୟ ସହଯୋଗୀ ପାଇଲଟ ପୃଥୁଲା ୟୁଏସ୍‌- ବାଂଲା ବିମାନଟିର ଅବତରଣ କରାଉଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଳାକ୍‌ବକ୍ସ ରେକର୍ଡିଂକୁ ଶୁଣି ଓ ଏହାକୁ ଅନୁଧ୍ୟାନ କରି ତଦନ୍ତକାରୀ ଅଧିକାରୀମାନେ ଏହି ସିଦ୍ଧାନ୍ତରେ ପହଞ୍ଚିବା ସହ ଏହାକୁ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୧୨ ତାରିଖରେ ବାଂଲାଦେଶର ରାଜଧାନୀ ଢ଼ାକାରୁ ନେପାଳ ଅଭିମୁଖେ ଆସୁଥିବା ୟୁଏସ୍‌- ବାଂଲା ଏୟାରଲାଇନ୍ସର ଏକ ବିମାନ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରୁଥିବା ବେଳେ ରନ୍‌େଓ୍ଵ ଉପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ବିମାନ ଦୁର୍ଘଟଣାରେ ଉଭୟ ପାଇଲଟଙ୍କ ସମେତ ବିମାନରେ ଥିବା ୫୧ ଜଣଙ୍କର ମୁତ୍ୟୁ ଘଟିଥିବା ବେଳେ ୨୦ ଜଣ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚି ଯାଇଥିଲେ।

ସମ୍ବନ୍ଧିତ ଖବର