ଆସନ୍ତା କାଲି ଆଇଏନଏସ ବିକ୍ରାନ୍ତର ଲୋକାର୍ପଣ, କେରଳରେ ପହଞ୍ଚିଲେ ମୋଦୀ, ରାଜନାଥ

ନୂଆଦିଲ୍ଲୀ : ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ବିମାନବାହୀ ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତର ଲୋକାର୍ପଣ ଆସନ୍ତା କାଲି ଅର୍ଥାତ ଶୁକ୍ରବାରଦିନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଲୋକାର୍ପଣ କରିବେ । ଏଥିପାଇଁ ମୋଦୀ ଗୁରୁବାରଦିନ କେରଳରେ ପହଞ୍ଚିଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମ ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବି ଉପସ୍ଥିତ ରହିବେ ।

ଏହାକୁ କୋଚିନ ସିପୟାର୍ଡ ପକ୍ଷରୁ ନିର୍ମାଣ କରାଯାଇଥିବାବେଳେ ଏହାର ଡିଜାଇନ ଭାରତୀୟ ନୌସେନାର ଓ୍ବାରସିପ ଡିଜାଇନ ବ୍ୟରୋ ପକ୍ଷରୁ କରାଯାଇଛି । ଆସନ୍ତା କାଲି ଏହାର ଲୋକାର୍ପଣ ହେଲେ ବି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ଆଉ କିଛି ମାସ ଲାଗିଯିବ ବୋଲି କୁହାଯାଉଛି ।

ଆଇଏନଏସ ବିକ୍ରାନ୍ତର ସାମୁଦ୍ରିକ ପରୀକ୍ଷଣ ଗତ ବର୍ଷ ଅଗଷ୍ଟ ମାସରେ ଆରମ୍ଭ ହୋଇଥିବାବେଳେ ୪ର୍ଥ ସାମୁଦ୍ରିକ ପରୀକ୍ଷଣ ଗତ ଜୁଲାଇ ୧୦ରେ ସମାପ୍ତ ହୋଇଥିଲା । ଭାରତୀୟ ନୌସେନାର ଡାଇରୋକ୍ଟରେଟ୍ ଅଫ ନାଭାଲ ଡିଜାଇନ ପକ୍ଷରୁ ଏହି ଯୁଦ୍ଧପୋତର ଡିଜାଇନ୍ କରାଯାଇଛି । ଏପରି କ୍ଷମତା ହାସଲ କରିବାରେ ଭାରତ ବିଶ୍ବର ଅଳ୍ପ କିଛି ଦେଶଙ୍କ ମଧ୍ୟରେ ସାମିଲ ହୋଇଛି ।

ଏହା ୮୬୦ ଫୁଟ ଲମ୍ବ, ୨୦୩ ଫୁଟ ଚଉଡ଼ା  ଓ ଓଜନ ପ୍ରାୟ ୪୫ ହଜାର ମେଟ୍ରିକ ଟନ । ପ୍ରାୟ ୨୩ ହଜାର କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି । ଏଥିରେ ପ୍ରାୟ ୨୧୫୦୦ ଟନ ଓଜନର ସ୍ବତନ୍ତ୍ର ଗ୍ରେଡ ଷ୍ଟିଲ ଲାଗିଛି ।
ଏହା ଏତେବଡ଼ ଯେ ଏହାର ଡେକରେ ଦୁଇଟି ଫୁଟବଲ ପଡ଼ିଆ ରହିପାରିବ । ଏଥିରେ ଏକାସମୟରେ ୧୭୦୦ କର୍ମଚାରୀ ରହିପାରିବେ ।

 

ସମ୍ବନ୍ଧିତ ଖବର