କୋଚି : ଦେଶର ପ୍ରଥମ ସ୍ବଦେଶୀ ବିମାନବାହୀ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତ ଶୁକ୍ରବାର ଦିନ ନୌସେନାରେ ସାମିଲ ହୋଇଛି। ଦେଶର ନୌସେନା ଇତିହାସରେ ଏହା ସବୁଠାରୁ ବଡ଼ ଯୁଦ୍ଧପୋତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିମାନବାହକ ଯୁଦ୍ଧପୋତକୁ କେରଳର କୋଚିନ ସିପ୍ୟାର୍ଡ୍ ଲିମିଟେଡ୍ଠାରେ ଅନୁଷ୍ଠିତ ଭବ୍ୟ ଉତ୍ସବରେ ନୌସେନା ସେବାରେ ସମର୍ପିତ କରିଛନ୍ତି। ଏଥିସହ ଭାରତୀୟ ନୌସେନା ଇତିହାସରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଏହି ବିମାନବାହୀ ଜାହାଜ ୨୦ ହଜାର କୋଟି ଟଙ୍କାରେ ନିର୍ମାଣ ହୋଇଛି। ଏହାର (ଫ୍ଲାଇଂ ଡେକ୍) ଲମ୍ବ ୨୬୨ ମିଟର ଏବଂ ଚଉଡ଼ା ୬୨.୪ ମିଟର। ସ୍ବଦେଶୀ ଉପକରଣ ବ୍ୟବହାର କରି ନିଜସ୍ବ ଜ୍ଞାନକୌଶଳରେ ଏହାର ନିର୍ମାଣ ହୋଇଛି।
ଆଇଏନଏସ ବିକ୍ରାନ୍ତ ଓ ବିକ୍ରାନ୍ତ (ଆର୍୧୧) ନାମରେ ଏହି ଯୁଦ୍ଧ ଜାହାଜର ନାମ ଆଇଏନଏସ ବିକ୍ରାନ୍ତ ରଖାଯାଇଛି। ବିକ୍ରାନ୍ତ (ଆର୍୧୧) ବ୍ରିଟିସ ରୟାଲ ନେଭିରୁ ହାସଲ ହୋଇଥିବା ଦେଶର ପ୍ରଥମ ବିମାନବାହକ ଯୁଦ୍ଧ ଜାହାଜ ଥିଲା। ଦେଶର ପ୍ରଥମ ବିମାନବାହକ ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତ (ଆର୍୧୧) ବ୍ରିଟିସ ରୟାଲ ନେଭି ପାଇଁ ଏଚଏମଏସ ହର୍କୁଲେସ ନାମରେ ୧୯୪୩ରେ ନିର୍ମାଣ ହୋଇଥିଲା। ୧୯୪୫ରେ ବ୍ରିଟିସ ରୟାଲ ନେଭିରେ ଏହାକୁ ସାମିଲ କରାଯାଇଥିଲା। ତେବେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏହି ଜାହାଜ ଭାରତକୁ ସର୍ତ୍ତ ଆଧାରରେ ବିକ୍ରି ହୋଇଥିଲା। ୧୯୬୧ ନଭେମ୍ବର ୩ରେ ଏହି ଯୁଦ୍ଧପୋତ ଭାରତରେ ପହଞ୍ଚିଥିଲା ଏବଂ ଔପଚାରିକ ଭାବେ ବମ୍ବେ ହାରବୋର୍ରେ ଭାରତୀୟ ନୌସେନାରେ ସାମିଲ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ଉପସ୍ଥିତିରେ ଜାହାଜକୁ ନୌସେନାରେ ସାମିଲ କରାଯାଇଥିଲା। ଆଇଏନଏସ ବିକ୍ରାନ୍ତ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏହି ଜାହାଜକୁ ୧୯୯୭ରେ ସେବା ନିବୃତ୍ତ କରାଯାଇଥିଲା ଏବଂ ମୁମ୍ବାଇ ହାରବୋର୍ରେ ଏହା ଏକ ମ୍ୟୁଜିୟମ ଭାବେ ରହିଥିଲା। ୨୦୧୩ରେ କେନ୍ଦ୍ର ସରକାର ଏହି ଜାହାଜ ଭାଙ୍ଗିବାପାଇଁ ନିଷ୍ପତ୍ତି ନେଇଥିଲେ। ଜାହାଜର ରକ୍ଷଣାବେକ୍ଷଣପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବାରୁ ସରକାର ଏହାକୁ ଭାଙ୍ଗିବାପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଏହା ୬୦ କୋଟି ଟଙ୍କାରେ ଦାରୁଖାନା ସିପ୍ବ୍ରେକରକୁ ବିକ୍ରି ହୋଇଥିଲା। ଏହାପରେ ସରକାର ପୁଣିଥରେ ନୂଆକରି ସମ୍ପୂର୍ଣ୍ଣ ସ୍ବଦେଶୀ ଭାବେ ଆଇଏନଏସ ବିକ୍ରାନ୍ତ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ।
ନୌସେନାକୁ ମିଳିଲା ନୂଆ ପତାକା
କୋଚି : କେରଳର କୋଚିଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଦେଶରେ ନିର୍ମିତ ପ୍ରଥମ ଅତ୍ୟାଧୁନିକ ଯୁଦ୍ଧପୋତ ଆଇଏନ୍ଏସ୍ ବିକ୍ରାନ୍ତକୁ ନୌସେନାରେ ସାମିଲ କରିବା ସହିତ ନୌସେନାର ନୂଆ ପତାକା ଉନ୍ମୋଚନ କରିଛନ୍ତି। ଭାରତୀୟ ନୌସେନାର ପତାକାରୁ ବ୍ରିଟିସ ଶାସନ ଅମଳରୁ ରହି ଆସିଥିବା ସେଣ୍ଟ ଜର୍ଜଙ୍କ କ୍ରସ ଚିହ୍ନକୁ ବାଦ୍ ଦିଆଯାଇଛି। ବର୍ତ୍ତମାନ ନୌସେନାର ପତାକାର ପୂର୍ବପଟ ଉପରେ ଜାତୀୟ ପତାକା ରହିଛି। ଏଥିସହିତ ଡାହାଣପଟ ତଳକୁ ଏକ ଅଷ୍ଟକୋଣୀ ସିଲ୍ଡ ଏବଂ ଜାତୀୟ ଚିହ୍ନ ଅଶୋକ ସ୍ତମ୍ଭକୁ ରଖାଯାଇଛି। ଏକ ଆଙ୍କର ଉପରେ ଏହାକୁ ରଖାଯାଇଛି। ଏହାର ତଳେ ନୌସେନାରେ ବାର୍ତ୍ତା ବା ଉଦ୍ଦେଶ୍ୟ ‘ଶଂ ନୌ ବରୁଣଃ’ ଲେଖାଯାଇଛି। ଜାତୀୟ ଚିହ୍ନ ଚାରିପଟେ ସ୍ବର୍ଣ୍ଣିମ ବର୍ଡର ଦିଆଯାଇଛି। ଛତ୍ରପତି ଶିବାଜୀଙ୍କ ମୋହରରେ ଅନୁପ୍ରାଣିତ ହୋଇ ଏହା କରାଯାଇଛି। ଏହାର ଅର୍ଥ ଦୃଢ଼ତା। ଅଷ୍ଟକୋଣୀ ଆକାର ଦେବାର ଉଦ୍ଦେଶ୍ୟ ହେଉଛି ୮ଟି ଦିଗକୁ ସୂଚାଉଛି। ଅର୍ଥାତ୍ ଏକାଧିକ ଦିଗରେ ଭାରତୀୟ ନୌସେନାର କାର୍ଯ୍ୟଦକ୍ଷତାକୁ ଏହା ସୂଚାଉଛି।