ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବିପଦ ଦେଖାଦେବା ପରେ ଏହା ଉପରେ ନଜର ରଖିଥିବା କମିଟିର ବିଶେଷଜ୍ଞମାନେ ବୁଷ୍ଟର ଡୋଜକୁ ନେଇ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ବିଶେଷଜ୍ଞମାନେ ସରକାରଙ୍କୁ କହିଛନ୍ତି ଯେ, କରୋନାର ବଦଳୁଥିବା ରୂପ ଏବେ ଲୋକମାନଙ୍କୁ ଅଧିକ ବିପଦକୁ ଟାଣି ନେଇପାରେ । ତେଣୁ ଦେଶରେ ଥିବା ୪୦ ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ ଟିକାର ବୁଷ୍ଟର ଡୋଜ ଦେବାକୁ ସରକାର ବିଚାର କରିବାର ସମୟ ଆସିଛି ।
ବର୍ତ୍ତମାନ ସୁଦ୍ଧା ଭାରତରେ ୨ ଜଣଙ୍କଠାରେ କରୋନାର ଓମିକ୍ରନ ଭାରିଆଣ୍ଟ ଦେଖିବାକୁ ମିଳିଛି । ଆଇଏନଏସଏସିଓଜି ତାର ସପ୍ତାହିକ ବୁଲେଟିନରେ କହିଛି ଯେ, ଟିକା ନେଇ ନଥିବା ଲୋକଙ୍କୁ ତୁରନ୍ତ ଟିକା ଓ ୪୦ ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ ଟିକାର ବୁଷ୍ଟର ଡୋଜ ଦେବା ଉପରେ ସରକାର ବିଚାର କରନ୍ତୁ । ଏହାସହ ବୟସ୍କ ଓ ଗମ୍ଭୀର ଶାରୀରିକ ସମସ୍ୟା ଥିବା ରୋଗୀମାନଙ୍କୁ ଏନେଇ ପ୍ରାଥମିକତା ଦିଆଯାଉ ବୋଲି ବିଶେଷଜ୍ଞ ଟିମ୍ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।
ଆଇଏନଏସଏସିଓଜି ତାର ସାପ୍ତାହିକ ବୁଲେଟିନରେ କହିଛନ୍ତି ଯେ, ବର୍ତ୍ତମାନ ଓମିକ୍ରନକୁ ଚିହ୍ନଟ କରିବା ଜିନୋମ ସିକ୍ୟୁଏନସିଙ୍ଗକୁ ବଢ଼ାଇବାକୁ ହେବ । ଏହାସହ ସର୍ବାଧିକ ବିପଦ ସଂକୁଳ ଅଞ୍ଚଳ ଓ ବିଦେଶରୁ ଫେରୁଥିବା ଲୋକଙ୍କ ଉପରେ ସରକାର ସମ୍ପୂର୍ଣ୍ଣ ନଜର ରଖିବାର ଆବଶ୍ୟକତା ରହିଛି ।
ଉଲ୍ଲେଖଯୋଗ୍ୟ, ଆମେରିକା ଓ ବ୍ରିଟେନ ନିଜ ନିଜ ଦେଶରେ ୪୦ରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ବୁଷ୍ଟର ଡୋଜକୁ ଅନୁମୋଦନ କରିସାରିଛନ୍ତି । ଆମେରିକାର ଶୀର୍ଷ ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫୋସି କହିଛନ୍ତି କି, ସର୍ବୋତ୍ତମ ସମ୍ଭାବ୍ୟ ସୁରକ୍ଷା ପ୍ରଦାନ କରିବା ପାଇଁ ସମ୍ପୂର୍ଣ୍ଣ ଟିକା ଦିଆଯାଇଥିବା ବୟସ୍କ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବା ଉଚିତ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/Covid-Booster-Dose-to-Above-40-Years-Old_Thumbnail.jpg)