ନୂଆଦିଲ୍ଲୀ : ପଞ୍ଜାବ ପୁଲିସ ରାଜ୍ୟର ଉଗ୍ରବାଦୀ ପ୍ରଚାରକ ତଥା 'ଓ୍ଵାରିସ୍ ପଞ୍ଜାବ ଦେ'ର ମୁଖ୍ୟ ଅମୃତପାଲ ସିଂହଙ୍କୁ ଗିରଫ କରିଛି । ତାଙ୍କ ସହ ତାଙ୍କର ୫୦ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହାକୁ ନେଇ ସମଗ୍ର ପଂଜାବରେ ହାଇଆଲର୍ଟ ଜାରି କରାଯାଇଛି ।

Advertisment

କେତେକ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଅମୃତପାଲ ବିଦେଶକୁ ପଳାଇଯିବାକୁ ଯୋଜନା କରୁଥିଲା । କିନ୍ତୁ ପୁଲିସ ତାକୁ ଠିକ ସମୟରେ ଗିରଫ କରିନେଇଥିଲା । ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତଭାବେ ଯୋଜନା କରି ତାକୁ ଗିରଫ କରିଥିଲେ । କିଛି ଦିନ ପୂର୍ବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ଏ ନେଇ ଯୋଜନା ପ୍ରସ୍ତୁତ ହୋଇଥିଲା  ଓ ଅତିରିକ୍ତ କେନ୍ଦ୍ରୀୟ ବାହିନୀ ପଠାଯାଇଥିଲା । ତେବେ ପଂଜାବରେ ଶୁକ୍ରବାରଦିନ ଥିବା ଜି-୨୦ ବୈଠକ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିଲା । ବୈଠକ ଶେଷ ହେବା ପରେ ଅପରେସନ ଆରମ୍ଭ ହୋଇଥିଲା ।

ପଞ୍ଜାବର ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛି। ରାଜ୍ୟ ପୁଲିସକୁ ସହାୟତା କରିବା ପାଇଁ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର କମ୍ପାନିଗୁଡ଼ିକୁ ସଜାଗ ରଖାଯାଇଛି।

ଶନିବାରଦିନ ଅମୃତପାଲଙ୍କୁ ୭ଟି ଜିଲ୍ଲାର ପୁଲିସ ଘେରାଉ କରିଥିଲା । ଜଳନ୍ଧରର ଶାହାକୋଟର ମହେତପୁର ଗ୍ରାମ ନିକଟରେ ଅମୃତପାଲ ସିଂହ ଓ ତାଙ୍କ ସହଯୋଗୀମାନଙ୍କୁ ପୁଲିସ ଘେରାଉ କରିଥିଲା । ଅମୃତପାଲ ସିଂହ ଶାହକୋଟରେ ପହଞ୍ଚିବା ନେଇ ପୁଲିସ ପାଖରେ ପୂର୍ବରୁ ସୂଚନା ଥିଲା। ସେଥିପାଇଁ ପୂର୍ବରୁ ମୋଗା ପୁଲିସ ମୋଗା ଓ ଶାହକୋଟର ସମସ୍ତ ରାସ୍ତାକୁ ବନ୍ଦ କରି ଏକ ବଡ଼ ନାକା ଲଗାଇଥିଲା। ପୂର୍ବରୁ ପୁଲିସ ତା'ର ୬ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା। ଅପରାହ୍ଣରେ ଅମୃତପାଲକୁ ଗିରଫ କରାଯାଇଥିଲା ।