ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କୌଶାମ୍ବୀ ଥାନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଥାନାର ଇନ୍ସପେକ୍ଟର ଲୁଙ୍ଗି, ଗାମୁଚ୍ଛା ଓ ଗଞ୍ଜି ପିନ୍ଧି ମହିଳା ପୀଡ଼ିତାଙ୍କ ଅଭିଯୋଗ ଶୁଣୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଭିଡିଓ ଭାଇରାଲ ହେବାପରେ ଉକ୍ତ ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ପୁଲିସ ଇନ୍ସପେକ୍ଟର ଥାନାରେ ଲୁଙ୍ଗି ଓ ଗଞ୍ଜି ପିନ୍ଧି ବସିଛନ୍ତି। ଏହି ସମୟରେ ୩ଜଣ ପୀଡିତ ମହିଳା ଅଭିଯୋଗ କରିବାକୁ ଥାନାକୁ ଆସୁଛନ୍ତି। ଇନ୍ସପେକ୍ଟର ଜଣକ ସେହି ଗଞ୍ଜି ଓ ଲୁଙ୍ଗି ପିନ୍ଧା ଅବସ୍ଥାରେ ଚୌକିରେ ବସି ମହିଳାମାନଙ୍କ ଅଭିଯୋଗ ଶୁଣୁଛନ୍ତି।’

ଏହି ଘଟଣା ମୋବାଇଲରୁ ମୋବାଇଲକୁ ଘୁରିଘୁରି ଥାନା ଅଧିକାରୀଙ୍କ ନିକଟରେ ପହଞ୍ଚିବା ପରେ ସେ କ୍ରୋଧିତ ହୋଇଯାଇଥିଲେ। ଇନ୍ସପେକ୍ଟରଙ୍କ ଏଭଳି ଅବତାର ପାଇଁ ପୁଲିସ ବିଭ‌ାଗକୁ ଲୋ‌କେ ତାତ୍ସଲ୍ୟ କରୁଛନ୍ତି ବୋଲି କହିବା ସହିତ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଏଏସପି ବୃଜେଶ ଶ୍ରୀବାସ୍ତବ ଯାଞ୍ଚ  ଆଦେଶ ଦେଇଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଥିବା ଇନ୍ସପେକ୍ଟରଙ୍କ ନାମ  ରାମ ନାରାୟଣ ସୋନକର ବୋଲି ଜଣାପଡ଼ିଛି। ଗ୍ରାମରେ ଦୁଇଟି ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ବିବାଦ ଲାଗିବା ପରେ ତିନିଜଣ ମହିଳା ଥାନାକୁ ଅଭିଯୋଗ ପାଇଁ ଆସିଥିଲେ।

ତେବେ ଇନ୍ସପେକ୍ଟର ଜଣକ ଏହି ସମୟରେ ଖାକି ପୋଷାକ ପଦଳରେ ଗଞ୍ଜି ଓ ଲୁଙ୍ଗି ପିନ୍ଧି ମହିଳାଙ୍କ ଅଭିଯୋଗ ଶୁଣିବା ପାଇଁ ଚୌକିରେ ଆସି ବସିଥିଲେ। ତେବେ ଏହି ଘଟଣାକୁ କେହି ଜଣେ ଫୋନରେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଯାଇଛି।