ହାଇଦ୍ରାବାଦ: ୨ ଦିନରେ ୩ ଥର ଜନପ୍ରିୟ ଚଳଚ୍ଚିତ୍ର ‘କେଜିଏଫ୍ ଚାପ୍ଟର୍-୨’ ଦେଖିବା ପରେ ହାଇଦ୍ରାବାଦର ଜଣେ ୧୫ ବର୍ଷିୟ ବାଳକ ଏହାର ମୁଖ୍ୟ ଚରିତ୍ର ରକି ଭାଇଙ୍କଦ୍ବାରା ଅନୁପ୍ରେରିତ ହୋଇ ପୂରା ଗୋଟିଏ ପ୍ୟାକେଟ୍ ସିଗାରେଟ୍ ଟାଣି ପକାଇଛି।
ଏକାଦିକ୍ରମେ ଏତେଗୁଡ଼ିଏ ସିଗାରେଟ୍ ଫଳରେ ତା’ର ତଣ୍ଟିରେ ଭୀଷଣ ବ୍ୟଥା ହେବା ସହ କାଶ ହେବାରୁ ଚିକିତ୍ସା ନିମନ୍ତେ ତାକୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା।
ପିଲାଟିର ସଫଳ ଚିକିତ୍ସା କରିବା ପରେ ହାଇଦ୍ରାବାଦର ‘ସେଞ୍ଚରି ହସ୍ପିଟାଲ୍’ର ଡାକ୍ତରମାନେ କହିଛନ୍ତି ଯେ, ତାଙ୍କୁ ‘କାଉନ୍ସେଲିଙ୍ଗ୍’ ମଧ୍ୟ ଦିଆଯାଇଛି।
ଘଟଣା ସଂକ୍ରାନ୍ତରେ ମନ୍ତବ୍ୟ ଦେଇ ଫୁସ୍ଫୁସ୍ ରୋଗ ବିଶେଷଜ୍ଞ ଡାକ୍ତର ରୋହିତ ରେଡ୍ଡୀ ପଥୁରି କହିଛନ୍ତି, ‘ରକି ଭାଇ’ ଭଳି ପାତ୍ରଦ୍ବାରା ତରୁଣମାନେ ସହଜରେ ପ୍ରଭାବିତ ହୋଇଯାଆନ୍ତି। ବାଳକଟି ଧୂମପାନ କରିବାକୁ ଯାଇ ପୂରା ଏକ ପ୍ୟାକେଟ୍ ସିଗାରେଟ୍ ଟାଣି ସାଙ୍ଘାତିକ ଅସୁସ୍ଥ ହୋଇପଡ଼ିଥିଲା। ସମାଜରେ ଚଳଚ୍ଚିତ୍ରର ଖୁବ୍ ପ୍ରଭାବ ରହିଛି। ତେଣୁ, ସିଗାରେଟ୍ ଟାଣିବା, ତମାଖୁ ଚୋବାଇବା ଏବଂ ମଦ ପିଇବା ଭଳି କାର୍ଯ୍ୟକୁ ପ୍ରଦର୍ଶନ ନ କରାଇବା ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତାମାନଙ୍କର ନୈତିକ ଦାୟିତ୍ବ।
ଏହାଛଡ଼ା, କିଶୋର ବୟସର ପିଲାମାନଙ୍କ କାର୍ଯ୍ୟକଳାପ ଏବଂ ସେମାନଙ୍କୁ ପ୍ରଭାବିତ କରୁଥିବା କାରଣ ଉପରେ ପିତାମାତାମାନେ ଦୃଷ୍ଟି ରଖିବା ଆବଶ୍ୟକ। ସିଗାରେଟ୍ ଓ ମଦ ଆଦିର କୁପ୍ରଭାବ ବିଷୟରେ ପିଲାମାନଙ୍କୁ ଅବଗତ କରାଇବା ମଧ୍ୟ ଅଭିଭାବକମାନଙ୍କର ଦାୟିତ୍ବ।