ଇନଷ୍ଟାଗ୍ରାମରେ ୧୪୦ ବେଗରେ ଗାଡ଼ି ଚାଲାଉଥିବା ଭିଡ଼ିଓ କରିବା ସମୟରେ ଦୁର୍ଘଟଣା ହେତୁ ଯୁବକଙ୍କ ମୃତ୍ୟୁ

ପୁଣେ: ଆଜିକାଲି ସୋସିଆଲ ମିଡ଼ିଆରେ ଜୀବନର ସମସ୍ତ ଗତିବିଧି ବିଷୟରେ ପୋଷ୍ଟ କରିବା ଯେପରି ଯୁବପିଢ଼ିଙ୍କ ପାଇଁ ଏକ ନିଶା ପାଲଟିଛି। ଯୁବପିଢ଼ି ସୋସିଆଲ ମିଡ଼ିଆରେ କେବଳ କିଛି ଲାଇକ୍‌ ପାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ସୁଦ୍ଧା ପଛଘୁଞ୍ଚା ଦେଉନାହାନ୍ତି । ଏଭଳି ଏକ ଅଭାବନୀୟ ଘଟଣା ପୁଣେର ପିମ୍ପରୀ ଅଞ୍ଚଳରେ ଦେଖିବାକୁ ମିଳିଛି। ଦ୍ରତଗତିରେ ଗାଡ଼ି ଚଳାଇବାର ଇନ୍‌ଷ୍ଟାଗ୍ରାମ ଭିଡ଼ିଓ ପ୍ରସ୍ତୁତ କରୁଥିବା ସମୟରେ ଶୁଭମ ରାଘବ ନାମକ ଜନୈକ ଯୁବକର ମୃତ୍ୟୁ ହୋଇଥିବା ବେଳେ ଋଷିକେଶ ପଓ୍ଵାର ନାମକ ଅନ୍ୟ ଜଣେ ଯୁବକ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

oneindia

ଘଟଣା ଅନୁଯାୟୀ, ଶୁଭମ ରାଘବ ତାଙ୍କ ପିଉସୀ-ପୁଅ ଋଷିକେଶ ସହ ଶନିବାର ରାତି ସମୟରେ ପୁଣେର ପିମ୍ପେରୀ ଅଞ୍ଚଳରେ ଗାଡ଼ି ଯୋଗେ ଯାଉଥିଲେ । ଏହି ସମୟରେ ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରିବା ନିଶାରେ ଋଷିକେଶ ଭିଡ଼ିଓ ପ୍ରସ୍ତୁତ କରିଥିବା ବେଳେ ଶୁଭମ ଗାଡ଼ିକୁ ଦ୍ରତ ଗତିରେ ଚଲାଇଥିଲେ । ଏହି ସମୟରେ ଗାଡ଼ିର ଗତିି ବଢ଼ି ବେଗ ଘଣ୍ଟାପ୍ରତି ୧୬୦ କିମି ହୋଇଯାଇଥିଲା । ଏଥିପାଇଁ ଗାଡ଼ିକୁ ନିୟନ୍ତ୍ରଣ କରି ନପାରିବାରୁ ଗାଡ଼ିଟି ରାସ୍ତାର ଡ଼ିଭାଇଡ଼ରରେ ବାଡ଼େଇ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ଏତେ ମାତ୍ରାରେ ଭୟାବହ ରହିଥିଲା କି ଘଟଣା ସ୍ଥଳରେ ଶୁଭମଙ୍କର ମୃତ୍ୟୁ ଘଟିଥିବା ବେଳେ ଋଷିକେଶଙ୍କୁ ଗମ୍ଭୀର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣାଟିର ସଂପୂର୍ଣ୍ଣ ଭିଡ଼ିଓ ସୋସିଆଲ ମିଡ଼ିଆରେ ଆସିବା ପରେ ଏହା ବହୁଳ ମାତ୍ରାରେ ଭାଇରାଲ ହୋଇଛି। ବର୍ତ୍ତମାନ ଋଷିକେଶ ସ୍ଥାନୀୟ ଏକ ଡ଼ାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବାର ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର