ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ଆଉ ମାତ୍ର ୩ରୁ ୪ ମାସ ସମୟ ରହିଥିବାବେଳେ ଏଆଇସିସି ପକ୍ଷରୁ ଓଡ଼ିଶା ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କରାଯାଇଛି। ଡ.ଅଜୟ କୁମାରଙ୍କୁ ଡା. ଏ.ଚେଲ୍ଲାକୁମାରଙ୍କ ସ୍ଥାନରେ ଏଆଇସିସିର ଓଡ଼ିଶା ପ୍ରଭାରୀ କରାଯାଇଛି। ଡ.ଅଜୟ କୁମାରଙ୍କୁ ଓଡ଼ିଶା ସହ ତାମିଲନାଡ଼ୁ ଓ ପୁଡୁଚେରୀର ପ୍ରଭାରୀ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଅନ୍ୟପକ୍ଷେ ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଓ ଅରୁଣାଚଳ ପ୍ରଦେଶର ପ୍ରଭାରୀ ରୂପେ ନିଯୁକ୍ତ କରାଯାଇଛି।

Advertisment

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ କଂଗ୍ରେସ ସଭାପତି ମଲିକାର୍ଜୁନ ଖଡ଼ଗେଙ୍କୁ ଚେଲ୍ଲାକୁମାର ପତ୍ର ଲେଖି ଓ ସାକ୍ଷାତ କରି ଓଡ଼ିଶାର ଏଆଇସିସି ପ୍ରଭାରୀ ରୂପେ ଦାୟିତ୍ବମୁକ୍ତ କରିବା ପାଇଁ ଜଣାଇଥିଲେ। ସେ ତାଙ୍କର ତାମିଲନାଡୁ ସଂସଦୀୟ କ୍ଷେତ୍ରରୁ ସାଂସଦ ରୂପେ ଆଉଥରେ ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହୀ ଥିବାରୁ ସେ ଏହି ପଦରେ ରହିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ। ହେଲେ ତାଙ୍କର ପ୍ରସ୍ତାବକୁ କଂଗ୍ରେସ ସଭାପତିଙ୍କ ଦ୍ବାରା ତ୍ବରିତ ଗ୍ରହଣ କରାଯାଇନଥିଲା। ୫ ରାଜ୍ୟର ବିଧାନସଭା ନିର୍ବାଚନ ପରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ ‌ବୋଲି କୁହାଯାଇଥିଲା।

ଅନ୍ୟପକ୍ଷରେ ୧୯୮୬ ବ୍ୟାଚ୍‌ର ଭାରତୀୟ ପୁଲିସ ସେବା(ଆଇପିଏସ୍‌) ଚାକିରି ଛାଡ଼ି ଡ.ଅଜୟ କୁମାର ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡିଙ୍କ ଦଳ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା (ଜେଭିଏମ୍‌)ରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୨୦୧୧ରେ ଜାମସେଦପୁର ସଂସଦୀୟ କ୍ଷେତ୍ରରୁ ଉପନିର୍ବାଚନରେ ଜେଭିଏମ ପ୍ରାର୍ଥୀ ରୂପେ ସେ ନିର୍ବାଚିତ ହୋଇଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଥିଲେ। ଏହାପରେ ସେ ଜେଭିଏମ୍‌ ଛାଡ଼ି କଂଗ୍ରେସରେ ‌ଯୋଗଦେଲେ। ତାଙ୍କୁ କଂଗ୍ରେସର ପ୍ରବକ୍ତା ରୂପେ ମଧ୍ୟ ନିଯୁକ୍ତି କରାଯାଇଥିଲା। ୨୦୧୭ରେ ଅଜୟ କୁମାରଙ୍କୁ ଝାଡ଼ଖଣ୍ଡର କଂଗ୍ରେସ ସଭାପତି ରୂପେ ନିଯୁକ୍ତ କରାଯାଇଥିଲା। ଏହି ପଦରେ ସେ ଦୁଇ ବର୍ଷ ରହିବା ପରେ ୧୯ ସେପ୍ଟେମ୍ବର ୨୦୧୯ରେ କଂଗ୍ରେସ ଛାଡ଼ି ଆମ୍‌ ଆଦ୍‌ମୀ ପାର୍ଟ(ଆପ୍‌)ରେ ଯୋଗ ଦେଇଥିଲେ । ଆମ ଆଦ୍‌ମୀ ପାର୍ଟିରେ ସେ ବେଶି ଦିନ ରହିପାରିନଥିଲେ। ଗୋଟିଏ ବର୍ଷ ଆପ୍‌ରେ ରହିବା ପରେ ସେ ପୁଣିଥରେ ସେପ୍ଟେମ୍ବର ୨୦୨୦ରେ କଂଗ୍ରେସକୁ ଫେରି ଆସିଥିଲେ। ଏହାପରେ ତ‌ାଙ୍କୁ ତ୍ରିପୁରା, ନାଗାଲାଣ୍ଡ ଓ ସିକ୍କିମର ଏଆଇସିସି ପ୍ରଭାରୀ ରୂପେ ନିଯୁକ୍ତ କରାଯାଇଥିଲା। ଗତବର୍ଷ ଜୁଲାଇରେ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପଦ ପ୍ରାର୍ଥିତ୍ବକୁ ନେଇ ତାଙ୍କର ବିବାଦୀୟ ଟିପ୍ପଣୀ ପାଇଁ ସେ ଚର୍ଚ୍ଚାରେ ରହିଥିଲେ। ଚଳିତ ବର୍ଷ ଅଗଷ୍ଟରେ ଘୋଷିତ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ମଧ୍ୟ ତାଙ୍କୁ ସ୍ଥାନ ମିଳିଥିଲା।

ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୨୦୨୦ରେ କଂଗ୍ରେସ ସାଂସଦ ଡ.ଚେଲ୍ଲାକୁମାରଙ୍କୁ ଜିତେନ୍ଦ୍ର ସିଂହଙ୍କ ସ୍ଥାନରେ ଓଡ଼ିଶାର ପ୍ରଭାରୀ ରୂପେ ନିଯୁକ୍ତ କରାଯାଇଥିଲା। ଏଆଇସିସି ପ୍ରଭାରୀ ରୂପେ ରାଜ୍ୟ କଂଗ୍ରେସରେ ଜୀବନ ସଂଚାର କରିବାରେ ଚେଲ୍ଲାକୁମାର ସଂପୂର୍ଣ୍ଣ ରୂପେ ବିଫଳ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ‌ରେ ଓଡ଼ିଶାରେ ଯେତେଗୁଡ଼ିଏ ଉପନିର୍ବାଚନ ହୋଇଥିଲା ସେଥିରେ କଂଗ୍ରେସର ନୈରାଶ୍ୟଜନକ ପ୍ରର୍ଦଶନ ରହିଥିଲା। ଗତବର୍ଷ ଓଡ଼ିଶାରେ ହୋଇଥିବା ପଂଚାୟତ ନିର୍ବାଚନରେ କହଗ୍ରେସକୁ ମାତ୍ର ୧୩ ପ୍ରତିଶତ ଭୋଟ ମିଳିଥିଲା। ସାଧାରଣ ନିର୍ବାଚନ ପାଇଁ କମ୍‌ ସମୟ ରହିଥିବାରୁ ନୂ୍ଆ ପ୍ରଭାରୀ ଡ.ଅଜୟ କୁମାରଙ୍କ ପାଇଁ ଦାୟିତ୍ବ ନିର୍ବାହ ଚ୍ୟାଲେଞ୍ଜପୂର୍ଣ୍ଣ ହେବ ବୋଲି କୁହାଯାଉଛି।