ଅଶୋକ ସ୍ତମ୍ଭରେ ଥିବା ସିଂହ ହିଂସ୍ର ଦେଖାଯାଉଛି କି ?

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ନୂଆ ସଂସଦ ଭବନ ଉପରେ ଉନ୍ମୋଚିତ ଅଶୋକ ସ୍ତମ୍ଭକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଏହା ପୁରୁଣା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭ ପରି ଦେଖାଯାଉନାହିଁ । ପୁରୁଣା ଅଶୋକ ସ୍ତମ୍ଭରେ ଥିବା ସିଂହ ଗୁଡ଼ିକ ଭଦ୍ର ଦେଖାଯାଉଥିବାବେଳେ ନୂଆ ଅଶୋକସ୍ତମ୍ଭରେ ଥିବା ସିଂହଗୁଡ଼ିକ ମଣିଷଖିଆ ପରି ହିଂସ୍ର ଦେଖାଯାଉଛନ୍ତି ବୋଲି କେତେକ ବିରୋଧୀଦଳ ନେତା ଅଭିଯୋଗ କରିଛନ୍ତି ।

ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ଜବାହର ସିରକାର ଏକ ଟୁଇଟ କରି କହିଛନ୍ତି ଯେ, ନୂଆ ଅଶୋକ ସ୍ତମ୍ଭଟି ଆମ ଜାତୀୟ ପ୍ରତୀକ ପ୍ରତି ଅପମାନ । ପୁରୁଣା ଅଶୋକସ୍ତମ୍ଭରେ ଥିବା ସିଂହମାନେ ଅନୁଶାସନପ୍ରିୟ ଓ ଆତ୍ମବିଶ୍ବାସ ଭରା ଦେଖାଯାଉଥିବାବେଳେ ମୋଦୀଙ୍କ ଦ୍ବାରା ସଂସଦଭବନ ଉପରେ ନିର୍ମିତ ନୂଆ ଅଶୋକ ସ୍ତମ୍ଭର ସିଂହମାନେ ହିଂସ୍ର, ଅନାବଶ୍ୟକ ଭାବେ ଆକ୍ରାମକ ଓ ଅସଂଗତ ଦେଖାଯାଉଛନ୍ତି । ଏହାକୁ ତୁରନ୍ତ ବଦଳାଯାଉ । ଏ ସଂପର୍କରେ ଟିଏମସି ସାଂସଦ ମହୁଆ ମୈତ୍ର ବି ଏକ ଟୁଇଟ କରିଛନ୍ତି ।

ସେହିପରି ଆପ ସାଂସଦ ସଂଜୟ ସିଂ ମଧ୍ୟ ଏକ ଟୁଇଟ କରି ଲେଖିଛନ୍ତି୍ ଯେ ରାଷ୍ଟ୍ରୀୟ ପ୍ରତୀକକୁ ବଦଳାଇଥିବା ଦଳକୁ ଦେଶବିରୋଧୀ କୁହାଯିବ ହି ନାହିଁ ?

ମୋଦୀ ସୋମବାରଦିନ ନବନିର୍ମିତ ସଂସଦ ଭବନ ଉପରେ ନିର୍ମିତ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ଉନ୍ମୋଚନ କରିଥିଲେ । ବ୍ରୋଞ୍ଜ ନିର୍ମିତ ଏହି ଅଶୋକ ସ୍ତମ୍ଭଟି ୬.୩ ମିଟର ଉଚ୍ଚ ହୋଇଥିବାବେଳେ ତାହାର ଓଜନ ୯୫୦୦ କିଲୋଗ୍ରାମ ରହିଛି । ଏହି କାର୍ଯ୍ୟକ୍ରମକୁ ବିରୋଧୀ ଦଳ ସାଂସଦମାନଙ୍କୁ ଡକାଯାଇନଥିବାରୁ କଂଗ୍ରେସ ତାହାର ସମାଲୋଚନା କରିଥିଲା ।

ସମ୍ବନ୍ଧିତ ଖବର