ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଆର୍‌ପିଏଫ୍‌ କନଷ୍ଟେବଲ୍‌ଙ୍କର ଦୁଇ ପୁଅଙ୍କୁ ବୀମା କମ୍ପାନି ଦେବ ୧.୨୫କୋଟି କ୍ଷତିପୂରଣ

ନୂଆଦିଲ୍ଲୀ : ଗତ ବର୍ଷ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଆର୍‌ପିଏଫ୍‌ କନେଷ୍ଟବଳଙ୍କ ଦୁଇ ପୁଅଙ୍କୁ ମୋଟର ଆକ୍ସିଡ଼େଣ୍ଟ କ୍ଲେମ୍‌ ଟ୍ରିବ୍ୟୁନାଲ ୧.୨୫କୋଟି ଟଙ୍କା କ୍ଷତି ପୂରଣ ଦେବା ପାଇଁ ଆଦେଶ ଦେଇଛି । ଗତ ବର୍ଷ ଡ଼ିସେମ୍ବର ୧୩, ୨୦୧୭ରେ ଏହି ଘଟଣା ଘଟିଥିବା ବେଳେ ଘଟଣା ସ୍ଥଳରେ ସିଆର୍‌ପିଏଫ୍‌ କନେଷ୍ଟବଳ ରାଜ୍‌ କୁମାର, ତାଙ୍କ ସ୍ତ୍ରୀ ସୀମା ଏବଂ ତାଙ୍କ ଝିଅ ରିତୁ(୯) ମୃତ୍ୟୁ ବରଣ କରିଥିଲେ ।

The Indian Express

ସୂଚନା ଅନୁଯାୟୀ, ଅଲିଗଡ଼ରୁ ଦିଲ୍ଲୀ ଆସୁଥିବା ବାଟରେ ଦକ୍ଷିଣ-ପୂର୍ବ ଦିଲ୍ଲୀର କାଲନ୍ଦି କୁଞ୍ଜଠାରେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଏହି ଘଟଣା ଘଟିବା ସମୟରେ ରାଜ୍‌ଙ୍କ ଦୁଇ ପୁଅ ଅଲିଗଡ଼ରେ ନିଜ ଜେଜେ ବାପାଙ୍କ ସହ ଥିଲେ । ଅନ୍ୟ ପକ୍ଷରେ ପ୍ରଥମେ ଯେତେବେଳେ ଏହି ମାମଲା ରୁଜୁ କରାଯାଇଥିଲା ସେତେବେଳେ ଟ୍ରକ ଚାଳକ, ଟ୍ରକ ମାଲିକ ଏବଂ ଟ୍ରକର ବୀମାକର୍ତ୍ତା ଏହାକୁ ଅସ୍ୱୀକାର କରିଥିଲେ । ଏହି ଦୁର୍ଘଟଣାରେ ଟ୍ରକ ଚାଳକର କିଛି ଭୁଲ ନାହିଁ ବୋଲି ସେ ଦର୍ଶାଥିଲେ । ପରେ ଏହାର ପୂରା ତଦନ୍ତ କରାଯିବାରୁ ଟ୍ରକ ଚାଳକ ଦୋଷୀ ସାବ୍ୟସ୍ତ ହେବା ସହ ତାକୁ ଧାରା ୨୭୯(ଦ୍ରୁତଗତିରେ ଗାଡ଼ି ଚଳାଇବା) ଏବଂ ଧାରା ୩୦୪-ଏ ଅନୁଯାୟୀ ଗିରଫ କରାଯାଇଥିଲା ।

ଏହି ଦୁର୍ଘଟଣା ପରେ ରାଜ୍‌ଙ୍କ ଦୁଇ ପୁଅ ଏବଂ ତାଙ୍କ ମାତା-ପିତାଙ୍କୁ କ୍ଷତିପୂରଣ ହିସାବରେ ୧.୨୫କୋଟି ଦିଆଯାଉ ବୋଲି ମୋଟର ଆକ୍ସିଡ଼େଣ୍ଟ କ୍ଲେମ୍‌ ଟ୍ରିବ୍ୟୁନାଲ ରାୟ ଘୋଷଣା କରିଛି । ଦୁର୍ଘଟଣା ଘଟାଇଥିବା ଟ୍ରକର ବୀମାକର୍ତ୍ତା ନ୍ୟାସନାଲ ଇନ୍ସୁରାନ୍ସ କମ୍ପାନିକୁ ଏହି ଅର୍ଥ ପ୍ରଦାନ କରିବା ପାଇଁ ମୋଟର ଆକ୍ସିଡ଼େଣ୍ଟ କ୍ଲେମ୍‌ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛି । ମୃତ୍ୟୁ ବରଣ କରିଥିବା ରାଜ୍‌ ଜଣେ ସିଆର୍‌ପିଏଫ୍‌ କନେଷ୍ଟବଳ ଥିବା ବେଳେ ତାଙ୍କ ସ୍ତ୍ରୀ ବୁଟିକ୍‌ ଚଳାଉଥିଲେ ବୋଲି ଜଣା ପଡ଼ିଛି।

ସମ୍ବନ୍ଧିତ ଖବର