ଇସ୍ଲାମାବାଦ: ପାକିସ୍ତାନର ବଲୁଚିସ୍ତାନରେ ଏବେ ବିଦ୍ରୋହର ନିଆଁ ତେଜିବାରେ ଲାଗିଛି। ପାକ୍ ସରକାରଙ୍କ ଅବହେଳା, ସେନାର ଅତ୍ୟାଚାର ଓ ସମ୍ବଳ ଲୁଟ୍ ଏବଂ ଏହି ଅଂଚଳରେ ଚୀନ୍ର ଆଧିପତ୍ୟକୁ ବିରୋଧ କରି ଲୋକେ ସଶସ୍ତ୍ର ସଂଗ୍ରାମକୁ ଓହ୍ଲାଇଛନ୍ତି। ହଜାର ହଜାର ଜନତା ନିଜକୁ ପାକିସ୍ତାନଠାରୁ ଅଲଗା ଘୋଷଣା କରି ବାରମ୍ବାର ଆନ୍ଦୋଳନକୁ ଓହ୍ଲାଉଥିବା ବେଳେ ବଲୁଚ ମୁକ୍ତି ସେନା(ବଏଲ୍ଏ) ଘନଘନ ଆକ୍ରମଣ କରି ପାକ୍ ସେନାର ନିଦ ହଜାଇ ଦେଇଛି। ପ୍ରତିବାଦର ସ୍ୱର ତୀବ୍ର ହେବାରେ ଲାଗିଥିବା ବେଳେ ପାକିସ୍ତାନ ସରକାର ଲୋକଙ୍କ ସମସ୍ୟା ବୁଝିବା ବଦଳରେ କେବଳ ଦମନ ନୀତି ଅବଲମ୍ବନ କରୁଛି। ଆଜି କ୍ୱେଟାରୁ ପେଶାୱାର ଅଭିମୁଖେ ଯାଉଥିବା ଜାଫର୍ଏକ୍ସପ୍ରେସ୍ ଟ୍ରେନ୍ ଉପରେ ବଲୁଚ ଆତଙ୍କବାଦୀମାନେ ଆକ୍ରମଣ କରି ଏହାକୁ ହାଇହାକ୍ କରିନେବା ଘଟଣା ପାକ୍ ସେନା ପାଇଁ ବହୁତ ବଡ଼ ଚ୍ୟାଲେଂଜ ହୋଇଛି। ଆକ୍ରମଣ ପରେ ତୁରନ୍ତ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସେମାନଙ୍କୁ ବିଏଲ୍ଏ ଲଢ଼ୁଆମାନେ ଭୀଷଣ ପ୍ରତିରୋଧ କରୁଛନ୍ତି।
ଆକ୍ରମଣକାରୀମାନେ ୮ ନମ୍ବର ଟନେଲ୍ ନିକଟରେ ଟ୍ରେନ୍କୁ ଅଟକାଇ ପାକ୍ ସୈନିକମାନେ ରହିଥିବା ବଗି ଉପରେ ଗୁଳିବର୍ଷା କରି ସେମାନଙ୍କ ଶକ୍ତିର ପ୍ରମାଣ ଦେଇଛନ୍ତି। ଏଥିରେ ଅନେକ ପାକ୍ ସୈନିକ ନିହତ ହୋଇଥିବା ବେଳେ ବହୁ ସଂଖ୍ୟାରେ ଆହତ ହୋଇଛନ୍ତି ଏବଂ ଶେହବାଜ ସରିଫ୍ ସରକାର ପାଇଁ ଏହା ଏକ ବଡ଼ ଆହ୍ବାନ ପାଲଟିଛି। ଚଳିତ ବର୍ଷ ଜାରି ହୋଇଥିବା ଏକ ପାକ୍ ରିପୋର୍ଟ ଅନୁଯାୟୀ, ୨୦୨୪ରେ ବେଲୁଚିସ୍ତାନ ଏବଂ ଖୈବର ପଖ୍ତୁନ୍ଖ୍ବାରେ ୯୫% ରୁ ଅଧିକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। କେବଳ ବେଲୁଚିସ୍ତାନରେ ୧୭୧ଟି ଆକ୍ରମଣ ହୋଇଥିବା ବେଳେ ସେଥିମଧ୍ୟରୁ ଅଧିକାଂଶ ବଲୁଚ ଲିବରେସନ ଆର୍ମି ଓ ବଲୁଚ ଲିବରେସନ ଫ୍ରଣ୍ଟ୍ ଦ୍ବାରା ହୋଇଥିବା କୁହାଯାଇଛି। ପାକିସ୍ତାନର ଏହି ଅଂଚଳ ଏବେ ସବୁଠାରୁ ଅସ୍ଥିର ଓ ଅଶାନ୍ତ ହୋଇପଡ଼ିଥିବା ବେଳେ ପାକ୍-ଚୀନ୍ ଆର୍ଥିକ କରିଡର ପାଇଁ ଏହା ବହୁତ ବଡ଼ ଝଟ୍କା ହୋଇଛି। ଅନ୍ୟପକ୍ଷରେ ବେଲୁଚିସ୍ତାନରେ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ସ୍ଥାନୀୟ ଲୋକଙ୍କୁ ପ୍ରତିଦିନ ପାକିସ୍ତାନୀ ସେନାର ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡ଼ୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/12/ffHWZWaWhlrBaejbWomu.jpg)