ଗୋରଖନାଥ ମନ୍ଦିର ଆକ୍ରମଣ ସଂପର୍କରେ ଗୁଇନ୍ଦା ବିଭାଗ ମାର୍ଚ୍ଚ ୩୧ରେ ସତର୍କ କରାଇଦେଇଥିଲା

ଗୋରଖପୁର : ଗୋରଖପୁରର ପ୍ରସିଦ୍ଧ ଗୋରଖନାଥ ମନ୍ଦିର ଉପରେ ଗତ ରବିବାର ହୋଇଥିବା ଆକ୍ରମଣ ପଛରେ ଆତଙ୍କବାଦୀ ଲିଙ୍କ୍ ଥିବା ଉତ୍ତରପ୍ରଦେଶ ପୁଲିସ ସଂଦେହ କରୁଛି । ତେବେ ଏହି ଆକ୍ରମଣ ସଂପର୍କରେ ଗୁଇନ୍ଦା ଏଜେନ୍ସି ଗୁଡ଼ିକ ପୂର୍ବରୁ ସତର୍କ କରାଇଦେଇଥିଲେ ।

ଗତ ମାର୍ଚ୍ଚ ୩୧ ତାରିଖରେ ଗୁଇନ୍ଦା ଏଜେନ୍ସି ଗୁଡ଼ିକ ଗୋରଖନାଥ ମନ୍ଦିର ଉପରେ ଆକ୍ରମଣ ଆଶଙ୍କା ନେଇ ଉତ୍ତରପ୍ରଦେଶ ପୁଲିସକୁ ନିର୍ଦ୍ଦିଷ୍ଟଭାବେ ସୂଚୀତ କରିଥିଲେ । ମାର୍ଚ୍ଚ ୩୧ରେ ଗୁଇନ୍ଦା ଏଜେନ୍ସି ଓ ଉତ୍ତରପ୍ରଦେଶ ପୁଲିସ ମଧ୍ୟରେ ଏକ ବୈଠକ ହୋଇଥିଲା । ବୈଠକରେ ଏହି ଆକ୍ରମଣ ପାଇଁ ଏକ ୧୬ ଜଣିଆ ଦଳ ଷଡ଼ଯନ୍ତ୍ର କରୁଥିବା ପୁଲିସକୁ ସୂଚନା ଦିଆଯାଇଥିଲା । ଏହି ୧୬ ଜଣଙ୍କ ମଧ୍ୟରେ ଆକ୍ରମଣକାରୀ ତଥା ଆଇଆଇଟି ବମ୍ବେ ଛାତ୍ର ଅହମ୍ମଦ ଆବ୍ବାସ ମୁର୍ତାଜା ଥିଲା ।

ରବିବାର ସଂଧ୍ୟାରେ ଗୋରଖନାଥ ମନ୍ଦିରର ଦକ୍ଷିଣ ଗେଟରେ ମୁତୟନ ଥିବା ପୁଲିସ କର୍ମୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ମୁର୍ତାଜା । ଏହି ଘଟଣାକୁ ଏକ ଆତଙ୍କବାଦୀ କାର୍ଯ୍ୟ ବୋଲି ଅବିହିତ କରିଛି ପୁଲିସ । ଆକ୍ରମଣ କରି ସେ ମଧ୍ୟ ଗୋରଖନାଥ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା ।  ତେବେ ସୁରକ୍ଷାକର୍ମୀ ତାଙ୍କୁ କାବୁ କରିନେଇଥିଲେ ।

ଉତ୍ତରପ୍ରଦେଶ ସରକାର ଘଟଣାର ତଦନ୍ତ କରିବାକୁ ଏଟିଏସକୁ ହସ୍ତାନ୍ତର କରିଛନ୍ତି । ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆଜି ସନ୍ଧ୍ୟାରେ ଗୋରଖପୁର ଯାଇ ସ୍ଥିତି ସମୀକ୍ଷା କରିବା ସହ ଆହତ କନେଷ୍ଟବଳମାନଙ୍କୁ ଭେଟିଛନ୍ତି ।

 

ସମ୍ବନ୍ଧିତ ଖବର