ନୂଆ ଅଡିଓ ଟେପ୍ରେ ଜେଇଏମ୍ କଲା ଖୁଲାସା; ଭାରତୀୟ ସେନା ଉପରେ ପୁଲ୍ଓ୍ଵାମା ଠାରୁ ଆହୁରି ଭୟଙ୍କର ହାମ୍ଲା ପାଇଁ ହୋଇଛି ପ୍ରସ୍ତୁତି
ଶ୍ରୀନଗର/ ନୂଆଦିଲ୍ଲୀ: ପୁଲଓ୍ଵାମା ଆତଙ୍କବାଦୀ ହାମ୍ଲା ପରେ ଭାରତର ଉଗ୍ର ରୂପକୁ ଦେଖି ପାକିସ୍ତାନୀ ସେନା ଛାନିଆ ହୋଇ ପଡ଼ିଥିଲେ ସୁଦ୍ଧା ଏହାର ପ୍ରଭାବ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍-ଇ- ମହମ୍ମଦ (ଜେଇଏମ୍) ଉପରେ ପଡ଼ି ନଥିବା ଦେଖିବାକୁ ମିଳିଛି। ପୁଲଓ୍ଵାମା ଆତଙ୍କବାଦୀ ହାମ୍ଲା ସଦୃଶ, ଆଉ ଏକ ନକଲି ସେନା ଗାଡ଼ିରେ ୫୦୦ କିଲୋଗ୍ରାମ ଆର୍ଡିଏକ୍ସ ଓ ଆଇଇଡି ବୋଝେଇ କରି ସମାନ ଢ଼ଙ୍ଗରେ ଭାରତୀୟ ସେନା ଗାଡ଼ିରେ ଧକ୍କା ଲଗାଇ, ପୁଲଓ୍ଵାମା ଠାରୁ ବଡ଼ ଆଉ ଏକ ହାମ୍ଲା ପାଇଁ ଜୈସ-ଇ-ମହମ୍ମଦର ଆତଙ୍କବାଦୀମାନେ ପ୍ରସ୍ତୁତ ହେଉଥିବା ସୂଚନା ଦେଇଛି ଭାରତୀୟ ଗୁଇନ୍ଦା ସଂସ୍ଥା।
Sambad is now on WhatsApp
Join and get latest news updates delivered to you via WhatsApp
ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ଶୀର୍ଷ ସ୍ତରୀୟ ନେତାମାନଙ୍କ ମଧ୍ୟରେ ଏସଂକ୍ରାନ୍ତରେ ଆଦାନ ପ୍ରଦାନ ଚାଲିଥିବା ଇ-ମେଲ୍କୁ ଟ୍ରାକ୍ କରି ଭାରତୀୟ ଗୁଇନ୍ଦା ସଂସ୍ଥା ଏହି ସୂଚନା ହାସଲ କରିବାରେ ସମର୍ଥ ହୋଇଛି।
ଅନ୍ୟପକ୍ଷରେ ଗତ ବୁଧବାର ଦିନ ଜୈସ୍-ଇ-ମହମ୍ମଦର ମିଡିଆ ସେଲ ପକ୍ଷରୁ ପ୍ରସାରିତ ହୋଇଥିବା ଏକ ଅଡିଓ ଟେପ୍ରେ ପୁଲ୍ଓ୍ଵାମା ସଦୃଶ ହାମ୍ଲା କରି ଭାରତର ରାଜନୈତିକ ବ୍ୟବସ୍ଥାକୁ ଅସ୍ତବ୍ୟସ୍ତ କରିବା ଲକ୍ଷ୍ୟରେ ଜୈସ୍-ଇ-ମହମ୍ମଦର ବହୁ ଆତ୍ମଘାତୀ ଆତଙ୍କବାଦୀ ଏବେ ଭାରତର ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରି ରହିଥିବା ଏହି ଅଡ଼ିଓ ଟେପ୍ରେ ଦାବି କରାଯାଇଛି। ଏଥିସହ ପୁଲଓ୍ଵାମା ଆତଙ୍କବାଦୀ ହାମ୍ଲା ସଦୃଶ, ଆଉ ଏକ ନକଲି ସେନା ଗାଡ଼ିରେ ୫୦୦ କିଲୋଗ୍ରାମ ଆର୍ଡିଏକ୍ସ ସହ ଆଇଇଡି ବୋଝେଇ କରି ସମାନ ଢ଼ଙ୍ଗରେ ଭାରତୀୟ ସେନାର ବିଏସ୍ଏଫ୍, ସିଆପିଏଫ୍, ଆଇଟିବିପି, ଏସ୍ଏସ୍ବି ଓ ବାୟୁସେନା ଗାଡ଼ିରେ ଧକ୍କା ଲଗାଇ, ପୁଲଓ୍ଵାମା ଠାରୁ ବଡ଼ ଆଉ ଏକ ହାମ୍ଲା ପାଇଁ ଜୈସ-ଇ-ମହମ୍ମଦର ଆତଙ୍କବାଦୀମାନେ ପ୍ରସ୍ତୁତ ହେଉଥିବା ଏହି ଅଡିଓ ଟେପ୍ରୁ ଜାଣିବାକୁ ମିଳିଛି।