ସାଂଘାତିକ ଷଡ଼ଯନ୍ତ୍ର ! ସାଇବର ସୁରକ୍ଷା ଭେଦ କରି ସାମରିକ ତଥ୍ୟ ଚୋରି

ନୂଆଦିଲ୍ଲୀ : ଭାରତୀୟ ସେନାରେ ଏକ ବଡ଼ ଧରଣର ଗୁପ୍ତଚର କାଣ୍ଡ ଜଣାପଡ଼ିଛି । ସେନାର ସାଇବର ସୁରକ୍ଷାକୁ ଭେଦ କରି ଶତ୍ରୁ ଦେଶକୁ ଗୁପ୍ତ ସାମରିକ ତଥ୍ୟ ଲିକ୍ ହେଉଥିବା ସଂପର୍କରେ ମିଲିଟାରି ଗୁଇନ୍ଦା ଏଜେନ୍ସିମାନେ ଜାଣିପାରିଛନ୍ତି ।

ହ୍ବାଟ୍ସଆପ୍ ଗ୍ରୁପ ମାଧ୍ୟମରେ ଏହି କାର୍ଯ୍ୟ କରାଯାଉଥିବା ଓ ଏଥିରେ ଏକ ଶତ୍ରୁ ଦେଶ ସଂପୃକ୍ତ ଥିବା କୁହାଯାଉଛି । ଆହୁରି ସାଂଘାତିକ କଥା ହେଉଛି ଯେ ଏହି ଗୁପ୍ତଚର କାଣ୍ଡ ପଛରେ କେତେକ ଜଣ ଭାରତୀୟ ସେନା ଅଧିକାରୀ ସଂପକ୍ତ ଅଛନ୍ତି ।

ଗୁଇନ୍ଦା ଏଜେନ୍ସିମାନଙ୍କ ପକ୍ଷରୁ ଏପରି ସାଂଘାତିକ ଷଡ଼ଯନ୍ତ୍ର ସଂପର୍କରେ ରିପୋର୍ଟ ମିଳିବା ପରେ ସତର୍କ ହୋଇଉଠିଛି ଭାରତୀୟ ସେନା । ସେନା ପକ୍ଷରୁ ଏ ନେଇ ଏକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଦୋଷୀମାନଙ୍କ ବିରୋଧରେ ଅଫିସିଆଲ ସିକ୍ରେଟସ ଆକ୍ଟ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ସାଇବର ସୁରକ୍ଷା କ୍ଷେତ୍ରରେ ହୋଇଥିବା ତ୍ରୁଟିକୁ ସଜାଡ଼ିବାକୁ ପଦକ୍ଷେପ ନିଆଯାଇଛି ।

ତେବେ ଏ ସଂପର୍କରେ ଅଧିକ ତଥ୍ୟ ଦେବାକୁ ସେନାର ଜଣେ କର୍ମଚାରୀ ମନା କରିଦେଇଛନ୍ତି । ଏହି ଷଡ଼ଯନ୍ତ୍ରରେ କେଉଁ ଅଧିକାରୀ ସଂପୃକ୍ତ ସେମାନଙ୍କ ନାମ ପ୍ରକାଶ କଲେ ତଦନ୍ତ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଣୁ ଅଧିକ ତଥ୍ୟ ଦେବାକୁ ସଂପୃକ୍ତ ଅଧିକାରୀ ମନା କରିଦେଇଛନ୍ତି ବୋଲି ଏକ ଜାତୀୟ ସ୍ତରର ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି ।

ସମ୍ବନ୍ଧିତ ଖବର