ବର୍ମାଙ୍କ ଉପରେ ଗୁଇନ୍ଦା ନଜର!

ନୂଆଦିଲ୍ଲୀ: ଛୁଟିରେ ପଠାଯାଇଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଉପ‌େର ଗୁଇନ୍ଦା ନଜର ରଖାଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଗୁରୁବାର ବର୍ମାଙ୍କ ଘର ନିକଟରୁ ୪ ଜଣ ଲୋକଙ୍କୁ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀମାନେ ଧରିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ବିରୋଧୀ ଦଳଗୁଡ଼ିକ ଏଥିପାଇଁ ମୋଦୀ ସରକାରଙ୍କୁ ଟା‌େର୍ଗଟ୍‌ କରିଛନ୍ତି। କିନ୍ତୁ ଧରାପଡ଼ିଥିବା ୪ ଜଣ ଲୋକ ଗୁଇନ୍ଦା ବ୍ୟୁରୋ (ଆଇବି)ର ଅଧିକାରୀ ବୋଲି ଜଣାପଡ଼ିଛି। ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଜନଗହଳି ମଧ୍ୟରୁ ଗୁଇନ୍ଦା ତଥ୍ୟ ହାସଲ କରିବା ପାଇଁ ଏମାନେ ନିୟମିତ ବ୍ୟବଧାନରେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପଇଁତରା ମାରିଥାନ୍ତି। ତେଣୁ ଆଇବିର ଏକ ୟୁନିଟ୍‌ ଜନପଥଠାରେ ନିୟୋଜିତ ହୋଇଥିଲା ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ୪ ଜଣଙ୍କୁ ଗିରଫ ପରେ ମୁକ୍ତ କରାଯାଇଥିବା ସୂଚନା ମିଳିଛି। ଜଣେ ବରିଷ୍ଠ ଆଇବି ଅଧିକାରୀଙ୍କ ସୂଚନା ଅନୁସାରେ ଗୁରୁବାର ନୂଆଦିଲ୍ଲୀର ଜନପଥସ୍ଥିତ ଆଲୋକ ବର୍ମାଙ୍କ ଘର ନିକଟରେ ଯେଉଁ ୪ ଜଣ ଧରାପଡ଼ିଛନ୍ତି, ସେମାନେ ଆଇବିର କର୍ମଚାରୀ। ବର୍ମାଙ୍କ ଉପରେ ନଜର ରଖିବାକୁ ନହେଁ, ବରଂ ନିୟମିତ ଭାବେ ଏମାନେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନ ବୁଲି କଡ଼ା ନଜର ରଖିଥାନ୍ତି। ଅଧିକାଂଶ ସମୟରେ ଏହି ଅଧିକାରୀମାନେ ଘରୋଇ ଏଜେନ୍ସି ସହିତ ମିଳିତ ଭାବେ କାର୍ଯ୍ୟ କରିଥାନ୍ତି। ଆଭ୍ୟନ୍ତରୀଣ କ୍ଷେତ୍ରରେ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏମାନେ ବିଭିନ୍ନ ଘଟଣା ଉପରେ ନଜର ରଖି ଲୋକ ଗହଳି ମଧ୍ୟରୁ ତଥ୍ୟ ଏକାଠି କରିଥାନ୍ତି। ଏମାନଙ୍କ ଠାରୁ ଏଜେନ୍ସିମାନେ ଠୋସ୍‌ ତଥ୍ୟ ହାସଲ କରି ସମ୍ଭାବ୍ୟ ପ୍ରତିକୂଳ ପରିସ୍ଥିତିକୁ ଟାଳିବାକୁ ଉଦ୍ୟମ କରିଥାନ୍ତି। କିନ୍ତୁ ବର୍ମାଙ୍କ ଘର ଉପରେ ନଜର ରଖିବା ଲାଗି ଏମାନଙ୍କୁ ପଠାଯାଇ ନଥିଲା ବୋଲି ସେ ଦୋହରାଇଛନ୍ତି।

ଘର ନିକଟରେ ୪ ଆଇବି ଅଧିକାରୀ ଠାବ
ଧରିଲେ ବର୍ମାଙ୍କ ସୁରକ୍ଷା କର୍ମଚାରୀ
ନିୟମିତ ଯାଞ୍ଚ ପାଇଁ ଯାଇଥିଲେ: କେନ୍ଦ୍ର

ତାଙ୍କ କହିବାନୁଯାୟୀ, ଆଇବିର ଅନେକ ଟିମ୍ ରାଜଧାନୀ ଦିଲ୍ଲୀର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି। ତନ୍ମଧ୍ୟରୁ ଗୋଟିଏ ୟୁନିଟ୍‌ ଜନପଥଠାରେ ନିୟୋଜିତ ହୋଇଥିଲା। ଏହା ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହୋଇଥିବା ବେଳେ ଏଠାରେ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ରହୁଛନ୍ତି। କିନ୍ତୁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଆଇବି ୟୁନିଟ୍‌ର ଏହି ଉପସ୍ଥିତିକୁ ଭୁଲ ଭାବେ ଚିତ୍ରଣ କରାଯାଉଛି। ଗୁରୁବାର ସକାଳେ ଏହି ୪ ଜଣ ଆଇବି ଅଧିକାରୀଙ୍କୁ କାବୁ କରି ପୁଲିସ ଜିମା ଦିଆଯାଇଥିଲା। କିନ୍ତ୍ୁ ପରେ ‌େସମାନଙ୍କୁ ଛାଡ଼ିଦିଆଯାଇଥିଲା।

ସମ୍ବନ୍ଧିତ ଖବର