ଲୋକସଭାରେ ଆନ୍ତଃରାଜ୍ୟ ନଦୀଜଳ ବିବାଦ ସଂଶୋଧନ ବିଲ୍‌କୁ ବିଜେଡିର ବିରୋଧ

ନୂଆଦିଲ୍ଲୀ : ଆନ୍ତଃରାଜ୍ୟ ନଦୀଜଳ ବଣ୍ଟନକୁ ନେଇ ବିଭିନ୍ନ ଟ୍ରିବ୍ୟୁନାଲରେ ଗଡ଼ୁଥିବା ମାମଲା ଗୁଡ଼ିକର ତ୍ବରିତ ଶୁଣା‌ଣି ପାଇଁ ଏକକ ନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ନେଇ ଆଜି କେନ୍ଦ୍ର ସରକାରଙ୍କ ଦ୍ବାରା ଲୋକସଭାରେ ଆନ୍ତଃରାଜ୍ୟ ନଦୀ ଜଳବିବାଦ ସଂଶୋଧନ ବିଲ୍ (୨୦୧୯)ର ଆଗତ ହୋଇଥିଲା। ଏହି ବିଲ୍‌କୁ ବିଜେଡି ପକ୍ଷରୁ ବିରୋଧ କରାଯାଇଛି। ବିଜେଡି ସାଂସଦ ଭର୍ତୃହରି ମହତାବ ବିଲ୍‌କୁ ବିରୋଧ କରିଥିଲେ। ମହତାବ କହିଥିଲେ ଜଳସମ୍ପଦ ରାଜ୍ୟର ବିଷୟ। କେନ୍ଦ୍ର ସରକାର ରାଜ୍ୟମାନଙ୍କ ସହିତ କୌଣସି ଆଲୋଚନା ନକରି ବିଲ୍ ସଂଶୋଧନ କରୁଛନ୍ତି। ବିଲ୍ ଉପସ୍ଥାପନ କରିବା ପୂର୍ବରୁ ରାଜ୍ୟମାନଙ୍କ ସହ ଆଲୋଚନା କରିବା ଉଚିତ୍ ଥିଲା ବୋଲି ସେ କହିଥିଲେ। ୨୦୧୭ ମାର୍ଚ୍ଚରେ ଏହି ବିଲ୍ ଯେତେବେଳେ ଆଗତ ହୋଇଥିଲା ସେହି ସମୟରେ ମଧ୍ୟ ବିଜେଡି ପକ୍ଷରୁ ବିରୋଧ କରାଯାଇଥିଲା। ପୁଣିଥରେ ଅନୁରୂପ ସେହି ବିଲ୍‌କୁ ଗୃହରେ ଆଗତ କରାଯାଉଛି ବୋଲି ମହତାବ କହିଥିଲେ। ତେବେ ମହତାବ ସ୍ପଷ୍ଟ କରି କହିଥିଲେ ବିଜେଡି ଏହି ବିଲ୍‌ର ଉଦ୍ଦେଶ୍ୟ ଉପରେ କୌଣସି ସନ୍ଦେହ ବ୍ୟକ୍ତ କରୁନାହିଁ କି ଏ ବିଲ୍‌କୁ ବିଜେଡି ବିରୋଧ କରୁନାହିଁ। ରାଜ୍ୟମାନଙ୍କ ସହିତ ବିଚାରବିମର୍ଶ କରାଯିବା ପ୍ରସଙ୍ଗରେ ଏହି ବିଲ୍‌ରେ କିଛି ମଧ୍ୟ ଉଲ୍ଲେଖ ନାହିଁ।

ତେବେ ବିଲ୍‌ ନେଇ ବିଜେଡି, କଂଗ୍ରେସ ଓ ଡିଏମକେ ସଦସ୍ୟମାନଙ୍କର ଆପତ୍ତି ଉପରେ ଜବାବ ରଖି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଵତ କହିଛନ୍ତି, ୨୦୧୩ ରେ ରାଜ୍ୟମାନଙ୍କ ସହିତ ବିଲ୍ ନେଇ ବିଚାରବିମର୍ଶ କରାଯାଇଥିଲା। ୨୦୧୭ରେ ବିଲ୍ ଲୋକସଭାରେ ଆଗତ ହୋଇଥିଲା। ଏହା ପରେ ବିଲ୍‌କୁ ଷ୍ଟାଣ୍ଡିଂ କମିଟିକୁ ପଠାଇ ଦିଆଯାଇଥିଲା ହେଲେ ୧୬ତମ ଲୋକସଭାର ଅବଧି ଶେଷ ହେବା ଯୋଗୁଁ ଚିଠା ଆଇନ ଅଚଳ ହୋଇଯାଇଥିଲା। ଉଲ୍ଲେଖଯୋଗ୍ୟ ଆନ୍ତଃରାଜ୍ୟ ନଦୀଜଳ ବିବାଦ ଆଇନ୍ ୧୯୫୬ରେ ସଂଶୋଧନ କରି ଏକକ ନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ କରିବାକୁ ନୂଆ ବିଲ୍‌ରେ ବ୍ୟବସ୍ଥା ରହିଛି। ଏହି ନୂତନ ବିଲ୍‌ରେ ଏକାଧିକ ଟ୍ରିବ୍ୟୁନାଲ ପରିବର୍ତ୍ତେ ଏକକ ଟ୍ରିବ୍ୟୁନାଲ ଜରିଆରେ ବିଭିନ୍ନ ବେଞ୍ଚ ଗଠନ କରି ମାମଲାର ତ୍ବରିତ ଶୁଣାଣି କରିବାର ବ୍ୟବସ୍ଥା ହୋଇଛି।

ସମ୍ବନ୍ଧିତ ଖବର