ଭୁବନେଶ୍ଵର : ଓଡ଼ିଶା ଉପକୂଳରୁ ଶନିବାରଦିନ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ପକ୍ଷରୁ ସମୁଦ୍ର ଭିତରୁ ଏଣ୍ଡୋ-ବାୟୁମଣ୍ଡଳୀୟ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ପ୍ରଥମ ସଫଳ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ବିବୃତି ଅନୁଯାୟୀ, ଏହି ପରୀକ୍ଷଣର ଉଦ୍ଦେଶ୍ୟ ଥିଲା ଶତ୍ରୁର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବିପଦକୁ ଆକାଶରେ ହିଁ ନଷ୍ଟ କରିଦେବା । ଏହି ସଫଳ ପରୀକ୍ଷଣ ପରେ ଭାରତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା (ବିଏମଡି) କ୍ଷମତା ଥିବା ଦେଶମାନଙ୍କର ସ୍ୱତନ୍ତ୍ର କ୍ଲବରେ ସାମିଲ ହୋଇଛି ।
ଏହା ପୂର୍ବରୁ ଡିଆରଡିଓ ପ୍ରତିକୂଳ ପରିସ୍ଥିତିରୁ ଉପୁଜିଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ର ବିପଦକୁ ନିଷ୍କ୍ରିୟ କରିବାର କ୍ଷମତା ଥିବା ଏକ ଭୂମି ଭିତ୍ତିକ ବିଏମଡି ସିଷ୍ଟମକୁ ସଫଳତାର ସହ ପ୍ରଦର୍ଶନ କରିଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତା ପାଇଁ ଡିଆରଡିଓ ଏବଂ ଭାରତୀୟ ନୌସେନାକୁ ଅଭିନନ୍ଦନ ଜଣାଇଛନ୍ତି । ଡିଆରଡିଓ ମୁଖ୍ୟ ସମୀର ଭି. କାମତ ମଧ୍ୟ ଏହି କ୍ଷେପଣାସ୍ତ୍ରର ଡିଜାଇନ୍ ଏବଂ ବିକାଶରେ ନିୟୋଜିତ ଟିମ୍କୁ ପ୍ରଶଂସା କରି କହିଛନ୍ତି ଯେ ଦେଶ ଅତ୍ୟନ୍ତ ଜଟିଳ ନେଟୱାର୍କ-ଭିତ୍ତିକ ଆଣ୍ଟି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରଣାଳୀ ବିକଶିତ କରିବାରେ ଆତ୍ମନିର୍ଭରଶୀଳତା ହାସଲ କରିଛି ।
ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, ଇସ୍ରାଏଲ ଓ ଚାଇନା ସମେତ ଅଳ୍ପ କେତୋଟି ଦେଶ ବିଏମଡି ଟେକନଲୋଜୀ ହାସଲ କରିଛନ୍ତି ଓ ସେଠାରେ ବିଏମଡି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି। ଏହି ଦେଶଗୁଡ଼ିକରେ ପ୍ରାରମ୍ଭିକ ଚେତାବନୀ ଏବଂ ଟ୍ରାକିଂ ସେନ୍ସର, ବିଶ୍ୱସନୀୟ କମାଣ୍ଡ ଏବଂ ନିୟନ୍ତ୍ରଣ ପୋଷ୍ଟ ଏବଂ ଉନ୍ନତ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ସ୍ଥଳ ଏବଂ ସମୁଦ୍ର ବ୍ୟାଟେରୀ ର ନେଟୱାର୍କ ରହିଛି ।