ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାର ବାନ୍ଦାରୁ କାନପୁର ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସ ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ପଛକୁ ଫେରିଥିବାର ଘଟଣା ସାମ୍ନାକୁ ଆସିଛି। 

Advertisment

ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାର ବାନ୍ଦାରୁ କାନପୁର ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସରୁ ଜଣେ ଯାତ୍ରୀ ହଠାତ ଧାରଣାକୁ ଖସି ପଡ଼ିଥିଲେ। ଏହାପରେ ଉକ୍ତ ଯାତ୍ରୀଙ୍କ ପରିବାର ସଦସ୍ୟ ତଥା ବଗିରେ ବସିଥିବା ଅନ୍ୟଲୋକମାନେ ପାଟିତୁଣ୍ଡ କରିବା ଆରମ୍ଭ କରିଥିଲେ। ଘଟଣା ବିଷୟରେ ଜାଣିବା ପରେ ଗାର୍ଡ ଟ୍ରେନକୁ ଅଟକାଇ ଲୋକୋ ପାଇଲଟଙ୍କୁ ଦୁର୍ଘଟଣା ବିଷୟରେ ସୂଚିତ କରିଥିଲେ। 

ଏଥିସହିତ ରେଳବାଇର ବରିଷ୍ଠ ଅଧିକାରୀମାନଙ୍କୁ ଘଟଣା ବିଷୟରେ ଜଣାଇବା ପରେ ଲୋକୋ ପାଇଲଟ ଟ୍ରେନକୁ ତିନି କିଲୋମିଟର ପର୍ଯ୍ୟନ୍ତ ପଛକୁ ଫେରାଇ ନେଇଥିଲେ। ଧାରଣାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଯୁବକଙ୍କୁ ଉଦ୍ଧାର କରି ସୁମେରପୁର ଷ୍ଟେସନକୁ ଅଣାଯାଇଥିଲା। ଏଠାରୁ ଆହତ ଯୂବକଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଯୁବକଙ୍କ ଅବସ୍ଥା ବିପଦମୁକ୍ତ ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ, ବାନ୍ଦା ଜିଲ୍ଲାର ଚାହିତାରା ଗାଁର ବାସିନ୍ଦା ସୁରେନ୍ଦ୍ର ବର୍ମା ତାଙ୍କ ପରିବାର ସହିତ ସୁମେରପୁରରେ ତାଙ୍କ ଭଉଣୀଙ୍କ ଘରକୁ ଯିବା ପାଇଁ ଚିତ୍ରକୂଟ-କାନପୁର ଇଣ୍ଟରସିଟି ଏକ୍ସପ୍ରେସରେ ଚଢ଼ିଥିଲେ। ତାଙ୍କ ସହିତ ପତ୍ନୀ ସୀମା, ପୁଅ ଆୟାଂଶ ଏବଂ ଝିଅ ଅର୍ପିତ ମଧ୍ୟ ଟ୍ରେନର ବଗିରେ ବସିଥିଲେ।  ଏହି ଟ୍ରେନଟି ହମିରପୁର ଜିଲ୍ଲାର ମୌଧା ଅଞ୍ଚଳର ରାଗୌଲ ରେଳ ଷ୍ଟେସନରେ କିଛି ସମୟ ପାଇଁ ଅଟକିଥିଲା। ତା'ପରେ ଷ୍ଟେସନରୁ ଇଣ୍ଟରସିଟି ଏକ୍ସପ୍ରେସ୍ ଭାରୁଆ ସୁମେରପୁର ରେଳ ଷ୍ଟେସନ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଯାତ୍ରାର କିଛି ସମୟ ପରେ ଏହି ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣାକୁ ନେଇ ଆହତ ଯାତ୍ରୀଙ୍କ ସ୍ତ୍ରୀ ସୀମା କହିଛନ୍ତି, ‘ରାଗୌଲ ଷ୍ଟେସନରୁ ଟ୍ରେନ୍ ଛାଡିବା ମାତ୍ରେ ସ୍ୱାମୀ ବାଥରୁମ୍ ଯିବା ପାଇଁ ବାହାରିଥିଲେ। ଏହି ସମୟରେ ହଠାତ ଟ୍ରେନଟି ଝଟକା ଦେଇଥିଲା। ଫଳରେ ସେ ଭାରସାମ୍ୟ ରକ୍ଷା କରି ନପାରି ଦ୍ବାର ନିକଟରେ ଥିବାରୁ ଟ୍ରେନରୁ ତଳକୁ ଖସି ପଡ଼ିଥିଲେ। 

ଭାରୁଆ ସୁମେରପୁର ରେଳ ଷ୍ଟେସନ୍ ମାଷ୍ଟର ଅମାନୁଦ୍ଦିନ କହିଛନ୍ତି, ‘ସୁରେନ୍ଦ୍ର ବର୍ମା (୪୧) ଚଳନ୍ତା ଟ୍ରେନରୁ ଖସିପଡ଼ିବା ସୂଚନା ପାଇବା ପରେ, ରେଳ ବିଭାଗ ତୁରନ୍ତ ଆହତଙ୍କୁ ବଞ୍ଚାଇବା ପାଇଁ  ନିଷ୍ପତ୍ତି ନେଇଥିଲା। ତେଣୁ ଆହତଙ୍କୁ ଉଦ୍ଧାର ସହିତ ଠିକ ସମୟରେ ଚିକିତ୍ସା ଦେବା ପାଇଁ ଟ୍ରେନ୍ ପଛକୁ ନିଆଁ ଯାଇଥିଲା।’