୨ ମାସରୁ ଅଧିକ କାଳ ନିଯୁକ୍ତି ରହିତ ହେଲେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରୁ କର୍ମଚାରୀ ଉଠାଇ ପାରିବେ ଆଂଶିକ ସୁଧ ମୁକ୍ତ ଋଣ !

ନୂଆଦିଲ୍ଲୀ: ଦେଶର କର୍ମଚାରୀମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌ଓ) କର୍ତ୍ତୃପକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। କେତେକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଯଦି କୌଣସି କର୍ମଚାରୀ ଦୁଇ ମାସରୁ ଉର୍ଦ୍ଧ୍ୱ କାଳ ପାଇଁ ନିଯୁକ୍ତି ରହିତ ହୁଅନ୍ତି ବା ତାଙ୍କର ଚାକିରି ନଥାଏ, ତେବେ ତାଙ୍କୁ ତାଙ୍କ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନାରେ ଜମା ଥିବା ରାଶିରୁ ଅଂଶିକ ପରିମାଣର ଅର୍ଥ ଋଣ ଆକାରରେ ସୁଧ ମୁକ୍ତ ଭାବେ ଉଠାଇବା ପାଇଁ ସୁଯୋଗ ମିଳିବ। ତେବେ, ଏହି ସୁଯୋଗ ସଂପୃକ୍ତ କର୍ମଚାରୀଙ୍କୁ କେବଳ ମାତ୍ର ଥରକ ପାଇଁ ମିଳିବ। ଯଦି ଆସନ୍ତା ୧୩ ତାରିଖରେ ବସିବାକୁ ଥିବା ଇପିଏଫ୍‌ଓର କେନ୍ଦ୍ରୀୟ ବୋର୍ଡ ଟ୍ରଷ୍ଟିମାନେ ଏହି ନିଷ୍ପତ୍ତିକୁ ଗ୍ରହଣ କରନ୍ତି, ତେବେ ଏହା ଅବିଳମ୍ବେ କାର୍ଯ୍ୟକାରୀ ହେବ ବୋଲି ଜାଣିବାକୁ ମିଳିଛି।

ବର୍ତ୍ତମାନ ପ୍ରଚଳିତ ଥିବା ନିୟମ ଅନୁଯାୟୀ କର୍ମଚାରୀ ଭବିଷ୍ୟନିିଧି ପାଣ୍ଠିର ସଦସ୍ୟ ଥିବା କୌଣସି କର୍ମଚାରୀ ନିଯୁକ୍ତି ରହିତ ହୁଅନ୍ତି ଏବଂ ଦୁଇ ମାସ ମଧ୍ୟରେ ତାଙ୍କୁ କୌଣସି ପ୍ରକାରର ନୂତନ ନିଯୁକ୍ତି ବା ଚାକିରି ନମିଳେ ତେବେ ସେ କ୍ଷେତ୍ରରେ ତାଙ୍କୁ ତାଙ୍କର ଭବିଷ୍ୟନିଧି ପାଣ୍ଠି ଯୋଜନାରେ ଜମା ଥିବା ସମସ୍ତ ରାଶି ପୂର୍ଣ୍ଣ ଏବଂ ଚୂଡ଼ାନ୍ତ ହିସାବ ସହ ଫେରସ୍ତ କରିଦେବା ପାଇଁ ବ୍ୟବସ୍ଥା ରହିଛି।

ଏଥିସହ କର୍ମଚାରୀ ଭବିଷ୍ୟନିିଧି ପାଣ୍ଠିରେ ଜମା ଥିବା ଅର୍ଥରୁ ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଜମାକୁ କର୍ମଚାରୀମାନେ ଅନ୍‌ଲାଇନ୍‌ ସାହାଯ୍ୟରେ ଉଠାଇ ପାରିବେ ବୋଲି ଇପିଏଫ୍‌ଓ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର