ଋଣ ପାଇଁ ଗଣିବାକୁ ପଡ଼ିବ ଅଧିକ ସୁଧ

ଏଚ୍‌ଡିଏଫ୍‌ସି, ଆଇସିଆଇସିଆଇ, ପିଏନ୍‌ବି, ବିଓଆଇ ବଢ଼ାଇଲେ ସୁଧ

ନୂଆଦିଲ୍ଲୀ : ଋଣ ନେଇ ଘର, ଗାଡ଼ି କିଣିବାକୁ ଚାହୁଥିବା କିମ୍ବା ବ୍ୟବସାୟରେ ନିବେଶ କରିବାକୁ ଚାହୁଥିବା ଲୋକମାନଙ୍କୁ ଅଧିକ ସୁଧ ଗଣିବାକୁ ପଡ଼ିବ। ଦେଶର କିଛି ପ୍ରମୁଖ ବ୍ୟାଙ୍କ ସେମାନଙ୍କ ଋଣ ସୁ‌ଧରେ ବୃଦ୍ଧି ଘୋଷଣା କରିଛନ୍ତି। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏହାର ଋଣ ସୁଧରେ ୦.୦୫% ବୃଦ୍ଧି କରିଛି। ଏହାର ପ୍ରଭାବରେ ବ୍ୟାଙ୍କର ପୁରୁଣା ଓ ନୂଆ ଗ୍ରାହକଙ୍କ ଇଏମ୍‌ଆଇ ବଢ଼ିବ। ସୁଧରେ ହୋଇଥିବା ପରିବର୍ତ୍ତନ ଜୁନ୍‌ ୧ରୁ ଲାଗୁ ହୋଇଛି। ଗତ ଏକ ମାସ ମଧ୍ୟରେ ବ୍ୟାଙ୍କ ତୃତୀୟ ଥର ପାଇଁ ଋଣ ସୁଧ ବଢ଼ାଇଛନ୍ତି। ମେ’ ମାସରେ ଏହା ଦୁଇ ଥରରେ ସୁଧ ୦.୩୫% ବଢ଼ାଇଥିଲା।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ମଧ୍ୟ ଏହାର ଏମ୍‌ସିଏଲ୍‌ଆର୍‌ରେ ୦.୧୫% ବୃଦ୍ଧି କରିଛି ଯାହା ଜୁନ୍‌ ୧ରୁ ଲାଗୁ ହୋଇଛି। ଓଭରନାଇଟ୍‌ରୁ ଆରମ୍ଭ କରି ତିନି ବର୍ଷିଆ ପର୍ଯ୍ୟନ୍ତ ଏମ୍‌ସିଏଲ୍‌ଆର୍‌ରେ ବ୍ୟାଙ୍କ ପରିବର୍ତ୍ତନ ଆଣିଛି। ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟ ଏହାର ଏମ୍‌ସିଏଲ୍‌ଆର୍‌ରେ ସଂଶୋଧନ କରିଛି ଯାହା ଜୁନ୍‌ ୧ରୁ ଲାଗୁ ହୋଇଛି। ଏହାର ଓଭରନାଇଟ୍‌ ଏମ୍‌ସିଏଲ୍‌ଆର୍‌ ୭.୩୦% ଓ ଏକ ବର୍ଷିଆ ଅବଧିର ଏମ୍‌ସିଏଲ୍‌ଆର୍‌ ୭.୫୫% ରହିଛି। ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) ମଧ୍ୟ ଏହାର ଏମ୍‌ସିଏଲ୍‌ଆର୍‌ ବଢ଼ାଇଛି। ଏହାର ଓଭରନାଇଡ୍‌ ଏମ୍‌ସିଏଲ୍‌ଆର୍‌ ୬.୭୦% ଓ ୩ ବର୍ଷିଆ ଏମ୍‌ସିଏଲ୍‌ଆର୍‌ ୭.୭୦ ପ୍ରତିଶତ ରହିଛି। ପୂର୍ବରୁ ପ୍ରଚଳନରେ ରହିଥିବା ବେସ୍‌ ରେଟ୍‌ର ବିକଳ୍ପ ଭାବେ ମାର୍ଜିନାଲ୍ କଷ୍ଟ ଅଫ୍ ଫଣ୍ଡ୍‌ସ ବେସଡ୍‌ ଲେଣ୍ଡିଂ ରେଟ୍‌ (ଏମ୍‌ସିଏଲ୍‌ଆର୍‌) ଲାଗୁ କରାଯାଇଥିଲା। ଏହା ବ୍ୟାଙ୍କ ପାଇଁ ମାନଦଣ୍ଡ ଭାବେ କାର୍ଯ୍ୟ କରୁଛି ଯାହାଠାରୁ କମ୍ ସୁଧରେ ସେମାନେ ଋଣ ଦେଇପାରିବେ ନାହିଁ। ରୁଷ୍-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ସାରା ବିଶ୍ବରେ ଦରଦାମ୍ ସ୍ଥିତି ବେଲଗାମ ହୋଇପଡ଼ିଥିବାରୁ ଆସନତା ମାସଗୁଡ଼ିକରେ ଋଣ ସୁଧ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ ଜୁନ୍‌ରେ ପୁଣି ଥରେ ସୁଧ ବଢ଼ାଇବ ବୋଲି ସ୍ପଷ୍ଟ କରିସାରିଛି। କିଛି ଦିନ ପୂର୍ବେ ତାହା ରେପୋ ହାରରେ ୦.୪୦% ହ୍ରାସ କରିଥିଲା।

ସମ୍ବନ୍ଧିତ ଖବର