୨୦୧୯ ମଧ୍ୟବର୍ତ୍ତୀକାଳୀନ ବଜେଟ ପାଇଁ ରେଳ ବିଭାଗ ନିଜର ଆବଶ୍ୟକତା ଦର୍ଶାଇଲା ୭୦,୦୦୦ କୋଟି

ନୂଆଦିଲ୍ଲୀ: ୨୦୧୯- ୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ରେଳ ମନ୍ତ୍ରାଳୟ ୭୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା କେନ୍ଦ୍ର ଅର୍ଥମନ୍ତ୍ରାଳୟକୁ ମାଗିଛି। ଆସନ୍ତା ଫେବ୍ରୁଆରି ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନିର୍ବାଚନ ପୂର୍ବରୁ ତାଙ୍କର ମଧ୍ୟବର୍ତ୍ତୀକାଳୀନ ବଜେଟରେ ସଂସଦରେ ଉପସ୍ଥାପିତ କରିବାକୁ ଥିବା ବେଳେ କେନ୍ଦ୍ର ରେଳ ମନ୍ତ୍ରାଳୟ ଆଜି ତାହାର ଏହି ନିଜସ୍ୱ ଆର୍ଥିକ ଆବଶ୍ୟକତା ସଂପର୍କରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟକୁ ଜଣାଇଛି।

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଯେ ଲୋକୋମୋଟିଭ୍‌ ଇଞ୍ଜିନ୍‌ରେ ବ୍ୟବହୃତ ଡିଜେଲର ମୂଲ୍ୟବୃଦ୍ଧି ସମେତ ଅନ୍ୟାନ୍ୟ ବହୁ ଆନୁସଙ୍ଗିକ ଜିନିଷର ମୂଲ୍ୟବୃଦ୍ଧି ସମେତ ସପ୍ତମ ବେତନ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ହେଲେ ରେଳ ବଜେଟରେ ନିହାତି କମରେ ୩୦ ପ୍ରତିଶତର ଅଧିକ ବ୍ୟୟ ବରାଦ କରିବା ପାଇଁ ଆବଶ୍ୟକତା ରହିଛି।

ରେଳ ବିଭାଗ କର୍ମଚାରୀମାନଙ୍କ ପାଇଁ ସପ୍ତମ ବେତନ କମିଶନଙ୍କ ସୁପାରିସ୍‌କୁ କାର୍ଯ୍ୟକାରୀ କରିବାକୁ ୨୩ ହଜାର କୋଟିର ଆବଶ୍ୟକତା ରହିଥିବା ବେଳେ ଅନ୍ୟାନ୍ୟ ଆବଶ୍ୟକତାକୁ ମିଶାଇଲେ ମୋଟ ଆର୍ଥିକ ଆବଶ୍ୟକତାର ପରିମାଣ ୭୦,୦୦୦ କୋଟି ଟଙ୍କା ରହିଥିବା ଅର୍ଥ ମନ୍ତ୍ରାଳୟକୁ ଜଣାଇଛି ରେଳ ବିଭାଗ। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଗତ ଆର୍ଥିକ ବର୍ଷ ବଜେଟରେ ରେଳ ବିଭାଗ ପାଇଁ ୫୩,୦୬୦ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।

ସମ୍ବନ୍ଧିତ ଖବର