ଫେବ୍ରୁଆରିରେ କାମଚଳା ବଜେଟ

ନୂଆଦିଲ୍ଲୀ/ଭୁବନେଶ୍ବର : ଏଥର ପୂର୍ଣ୍ଣାଙ୍ଗ ନୁହେଁ ବରଂ ଫେବ୍ରୁଆରି ମାସରେ କାମଚଳା ବଜେଟ୍ ଉପସ୍ଥାପନ ହେବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏଭଳି ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି। ନୂଆ ସରକାର ଆସିଲେ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଗତ କରିବେ।

ଏପ୍ରିଲ-ମେ’ ମାସରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ମାର୍ଚ ମାସର ଯେକୌଣସି ମୁହୂର୍ତରେ ଭାରତର ନିର୍ବାଚନ କମିସନ ଆଦର୍ଶ ଆଚରଣବିଧି କଟକଣା ଲାଗୁ କରିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଫେବ୍ରୁଆରି ମାସରେ କାମଚଳା ବଜେଟ୍‌ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଆସନ୍ତା ଆର୍ଥିକ (୨୦୧୯-୨୦)ର ପ୍ରଥମ ଚାରି ମାସ ପାଇଁ କାମଚଳା ବଜେଟ୍‌ରେ ବ୍ୟୟବରାଦ କରାଯିବ। କାମଚଳା ବଜେଟ୍‌ରେ ବିଶେଷ କରି କର୍ମଚାରୀ ଦରମା ଓ ରାଜସ୍ବ ବ୍ୟୟ ପାଇଁ ଅର୍ଥ ବରାଦ କରାଯାଇଥାଏ।

ଉ‌ଲ୍ଲେଖ ଥାଉ କି କେନ୍ଦ୍ର ସରକାର କାମଚଳା ବଜେଟ୍ ଉପସ୍ଥାପନର ସୁଯୋଗ ନେଇ ଅଗାମୀ ୫ ବର୍ଷ ପାଇଁ କ’ଣ କ’ଣ କରାଯିବ ତାହାର ଏକ ଦୃଶ୍ୟପଟ ଉପସ୍ଥାପନ କରିବେ। ଏହା ଦ୍ବାରା ନିର୍ବାଚନ ପୂର୍ବରୁ ଦେଶବାସୀଙ୍କ ସାମ୍ନାରେ ପୁଣି ଏକ ସ୍ବପ୍ନ ଦେଖାଇବା ଲାଗି ସଫଳ ହେବେ। ତେବେ ରାଜ୍ୟ ସରକାର ଏଭଳି ଯୋଜନା କରୁଥିବା ନେଇ କୌଣସି ସୂଚନା ମିଳିନାହିଁ।

କାମଚଳା ବଜେଟ ହେଲେ ମଧ୍ୟ ଅର୍ଥମନ୍ତ୍ରୀ ଟିକସରେ କିଛିଟା ପରିବର୍ତ୍ତନ ପାଇଁ ପ୍ରସ୍ତାବ ଆଣିପାରନ୍ତି। ତେବେ ଏ ନେଇ ଆଲୋଚନା ଏପର୍ଯ୍ୟନ୍ତ ହୋଇନାହିଁ। ବଜେଟ ପ୍ରସ୍ତାବରେ କ’ଣ ସବୁ ‌ଉଲ୍ଲେଖ କରାଯିବ ସେ ସଂକ୍ରାନ୍ତରେ ବିଭିନ୍ନ ମନ୍ତ୍ରାଳୟଠାରୁ ଅର୍ଥ ମନ୍ତ୍ରାଳୟ ମତାମତ ଲୋଡ଼ିଛି। ଅର୍ଥମନ୍ତ୍ରୀ ଜେଟ୍‌ଲୀ କ୍ରମାଗତ ଭାବେ ଷଷ୍ଠ ବଜେଟ ଆଗତ କରିବେ। ‌ଫେବ୍ରୁଆରି ୧ ତାରିଖରେ ଏହା ଆଗତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଗତବର୍ଷ ସରକାର ଫେବ୍ରୁଆରି ୧ ତାରିଖରେ ସାଧାରଣ ବଜେଟ ଆଗତ କରିଥିଲେ। ସାଧାରଣତଃ ଫେବ୍ରୁଆରି ମାସର ଶେଷ ଦିନ ବଜେଟ ଆଗତ ହୋଇ ଆସୁଥିବାବେଳେ ପ୍ରଥମ ଥର ପାଇଁ ସରକାର ମାସେ ଆଗୁଆ ବଜେଟ ଆଗତ କରିଛନ୍ତି।

ସମ୍ବନ୍ଧିତ ଖବର