ନୂଆଦିଲ୍ଲୀ : ଆପଣଙ୍କ ଇପସିତ ଚାକିରି ପାଇବାକୁ ଆପଣଙ୍କୁ କଣ କରିବାକୁ ହେବ ? ଏହାର ଉତ୍ତର ହେବ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା ସହ ସାକ୍ଷାତକାରରେ ଉକ୍ତ କମ୍ପାନିର ବରିଷ୍ଠ ଅଧିକାରୀ ଓ ମାନବ ସମ୍ବଳ ଅଧିକାରୀଙ୍କୁ ପ୍ରଭାବିତ କରିପାରିଲେ ଚାକିରି ମିଳିପାରିବ ।  କିନ୍ତୁ ଯଦି ଗ୍ରାହକଙ୍କ ପ୍ରବଳ ଅନୁରୋଧ ଯୋଗୁଁ ଗୋଟିଏ କମ୍ପାନି ଜଣେ ପ୍ରାର୍ଥୀଙ୍କୁ ଚାକିରି ଦେଲା, ତାହା ଏକ ବିରଳ ଘଟଣା ନିଶ୍ଚୟ ।

Advertisment

ଏହିପରି ଏକ ବିରଳ ଘଟଣା ଘଟିଛି ଖାଦ୍ୟ ଯୋଗାଣକାରୀ ଆପ୍ ଜୋମାଟୋ କ୍ଷେତ୍ରରେ । ଗ୍ରାହକଙ୍କ ଦାବି ଯୋଗୁଁ କମ୍ପାନି ଜଣେ ଇଣ୍ଟର୍ଣ୍ଣଙ୍କୁ ନିଯୁକ୍ତି ପ୍ରଦାନ କରିଛି । ଏହି ଘଟଣା ସଂପର୍କରେ ଖୋଦ ଜୋମାଟୋ ଲିଙ୍କଡଇନରେ ଏକ ପୋଷ୍ଟ କରିଛି । ଘଟଣାଟି ଏହିପରି.. ଜୋମାଟୋରେ ଜଣେ ଯୁବକ ଇଣ୍ଟର୍ଣ୍ଣ ଭାବେ କାମ କରୁଥିଲେ । ସେ ଜୋମାଟୋରେ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଅଭିନବ କ୍ୟାମ୍ପେନ ଆରମ୍ଭ କରିଥିଲେ, ଯାହାକି ଗ୍ରାହକମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇପାରିଥିଲା । ଏହାକୁ ଦେଖି ଜୋମାଟୋ ଗ୍ରାହକମାନଙ୍କୁ ନେଇ ଏକ ଚ୍ୟାଲେଞ୍ଜ ଆରମ୍ଭ କରିଥିଲା- ଯଦି ଏହି ପୋଷ୍ଟ ପାଇଁ ୫୦ ହଜାର ଲାଇକ ଆସେ, ତେବେ ସଂପୃକ୍ତ ଯୁବକଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ । ଏହି ଚ୍ୟାଲେଞ୍ଜକୁ ଗ୍ରାହକମାନେ ଗ୍ରହଣ କରିଥିଲେ ଓ ମାତ୍ର ୩ ଘଣ୍ଟାରେ ଉକ୍ତ ପୋଷ୍ଟକୁ ୫୦ ହଜାରରୁ ଅଧିକ ଲାଇକ ମିଳିଥିଲା । କହିବା ବାହୁଲ୍ୟ, ପର ଦିନ ହିଁ ଉକ୍ତ ଯୁବକକୁ କମ୍ପାନି ଏକ ଚାକିରି ଦେଇଥିଲା ।