ଅନ୍ତର୍ଜାତୀୟ ଇ-ଟିକେଟିଂ ରାକେଟ ଧରାପଡ଼ିଲା, ପାକିସ୍ତାନ ଓ ଦୁବାଇରେ ଅଛନ୍ତି ମୁଖ୍ୟ ସଂଚାଳକ

ଟେରର ଫଣ୍ଡିଂ ସନ୍ଦେହ

ନୂଆଦିଲ୍ଲୀ: ଏକ ଅନ୍ତର୍ଜାତୀୟ ଇ-ଟିକେଟିଂ ରାକେଟର ପର୍ଦ୍ଦାଫାସ କରିଛି ରେଳବାଇ ସୁରକ୍ଷା ବାହିନୀ (ଆର୍‌ପିଏଫ୍‌)। ଏହି ରାକେଟର ଚେର ପାକିସ୍ତାନ ଏବଂ ଦୁବାଇରେ ରହିଥିବା ଜଣାପଡ଼ିଛି। ଏହି ମାମଲାରେ ଆର୍‌ପିଏଫ୍‌ ଝାଡ଼ଖଣ୍ଡର ଏକ ସଫ୍ଟୱେର ଇଂଜିନିୟର ଗୁଲାମ ମୁସ୍ତାଫାକୁ ଗିରଫ କରିଛି। ଆର୍‌ପିଏଫ୍‌ ଡିଜି ଅରୁଣ କୁମାର ଏହା ପଛରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ସନ୍ଦେହ କରୁଛନ୍ତି। ଏହି ବହୁ କୋଟି ଟଙ୍କାର ଜାଲିଆତି ମାମଲାର ମୁଖ୍ୟ ସଂଚାଳକମାନେ ପାକିସ୍ତାନ ଏବଂ ଦୁବାଇରେ ଥିବା ଜଣାପଡ଼ିଥିବା ବେଳେ ବାଂଲାଦେଶରେ ମଧ୍ୟ ଏହାର ଚେର ରହିଛି। ଆର୍‌ପିଏଫର ଚଢ଼ଉରେ ଏଏନ୍‌ଏମ୍‌ଏସ୍‌ ନାମକ ଏକ ସଫ୍‌ଟୱେର ଏବଂ ଦୁଇଟି ଲ୍ୟାପ୍‌ଟପ ଜବତ କରାଯାଇଛି। ଗିରଫ ହୋଇଥିବା ଇଂଜିନିୟର ନିକଟରୁ ୫୬୩ ଜଣଙ୍କ ବ୍ୟକ୍ତିଗତ ପରିଚୟପତ୍ର, ୨୪୦୦ ଏସ୍‌ବିଆଇ ଏବଂ ୬୦୦ ଗ୍ରାମୀଣ ବ୍ୟାଙ୍କ୍‌ର ଖାତା ମିଳିଛି। ବିଗତ ୧୦ ଦିନ ଧରି ଆଇବି, ସ୍ପେସାଲ ବ୍ୟୁରୋ, ଇଡି, ଏନ୍‌ଆଇଏ ଏବଂ କର୍ଣ୍ଣାଟକ ପୁଲିସ ମୁସ୍ତଫାକୁ ଜେରା କରୁଥିବା ଜଣାପଡ଼ିଛି।

ଆର୍‌ପିଏଫ୍‌ର ମହାନିର୍ଦ୍ଦେଶକ ଅରୁଣ କୁମାର କହିଛନ୍ତି ଯେ ଇ-ଟିକେଟିଂ ରାକେଟ ବିରୋଧରେ ଆହୁରି ବ୍ୟାପକ ଖୋଳତାଡ଼ ହେବ ଏବଂ ଆଜି ସୁଦ୍ଧା ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ହସ୍ତଗତ ହୋଇଛି। ଦୁବାଇରେ ବସିଥିବା ମୁଖ୍ୟ ସଂଚାଳକ ହମିଦ୍‌ ଅସ୍‌ରଫ୍‌ ଏବଂ ଏହି ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟଙ୍କୁ ଠାବ କରିବା ପାଇଁ ବିଭିନ୍ନ ନିରାପତ୍ତା ସଂସ୍ଥା ଦ୍ବାରା ଅଭିଯାନ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଅସ୍‌ରଫ୍‌ ହିଁ ଇ-ଟିକେଟିଂ ରାକେଟର କିଙ୍ଗ୍‌ପିନ ବୋଲି ମିଳିଥିବା ପ୍ରମାଣ ଅନୁଧ୍ୟାନରୁ ଜଣାପଡ଼ିଛି। ଅସ୍‌ରଫ୍‌ ପ୍ରତିମାସରେ ୧୦ରୁ୧୫ କୋଟି ଟଙ୍କା ଜାଲିଆତି ଦ୍ବାରା ହାସଲ କରୁଥିବା ଜଣାପଡ଼ିଛି। ୨୦୧୯ରେ ଏକ ବିଦ୍ୟାଳୟରେ ଘଟିଥିବା ବୋମା ବିସ୍ଫୋରଣ ମାମଲାରେ ସେ ସାମିଲ ଥିଲା ଏବଂ ଏହାପରେ ଦୁବାଇ ପଳାଇଯିବାକୁ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର