ବର୍ଷ ଶେଷ ସୁଦ୍ଧା ସ୍ବାଭାବିକ ହେବ ଅନ୍ତର୍ଜାତୀୟ ବିମାନ ଚଳାଚଳ : କେନ୍ଦ୍ର

ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ଅନ୍ତର୍ଜାତୀୟ ଫ୍ଲାଇଟ୍ ଚଳାଚଳ ସ୍ବାଭାବିକ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଏକ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସଚିବ ରାଜୀବ ବନସଲ କହିଛନ୍ତି ଯେ ଚଳିତ ବର୍ଷ ଶେଷ ହେବା ପୂର୍ବରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ବାଭାବିକ ହେବ ।

ଗତ ସପ୍ତାହରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ ଯେ ସରକାର ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ସ୍ବାଭାବିକ କରିବାକୁ ଉଦ୍ୟମ କରୁଛନ୍ତି । ତେବେ ବିମାନ ଚଳାଚଳକୁ ସ୍ବାଭାବିକ କରିବା ପୂର୍ବରୁ ପୁଣି ଥରେ ଯେପରି କରୋନା ନ ବ୍ୟାପେ ତାହା ଉପରେ ସତର୍କ ଦୃଷ୍ଟି ରଖାଯିବ ।

ଦେଶରେ କରୋନା ସଂକ୍ରମଣ ବ୍ୟାପିବା ପରେ ଗତ ବର୍ଷ ମାର୍ଚ୍ଚ ୨୩ରୁ ଭାରତରୁ ଅନ୍ତର୍ଜାତୀୟ ସିଡ୍ୟୁଲଡ୍ ବିମାନ ଚଳାଚଳ ବନ୍ଦ ରହିଛି । ତେବେ ୨୦୨୦ ମେ ମାସଠାରୁ ବନ୍ଦେ ଭାରତ ମିଶନ ଅଧିନରେ କେତେକ ବିମାନ ଚଳାଚଳ ହେଉଛି ଓ ୨୦୨୦ ଜୁଲାଇ ମାସଠାରୁ ଏୟାର ବବଲ ଆୟୋଜନ ମାଧ୍ୟମରେ କେତେକ ଦେଶ ସହ ସ୍ବତନ୍ତ୍ର ବିମାନ ଚଳାଚଳ ଜାରି ରହିଛି । ସେସବୁ ଦେଶମାନଙ୍କ ମଧ୍ୟରେ ଅଛନ୍ତି ବାଂଲାଦେଶ, ଆଫଗାନିସ୍ତାନ, ଆମେରିକା, ଫ୍ରାନ୍ସ, ଜର୍ମାନି, ଇରାକ, ମାଳଦ୍ବୀପ, ନେପାଳ, ଭୁଟାନ, ଜାପାନ, ୟୁଏଇ, କାତାର,ନେଦରଲାଣ୍ଡସ ଇତ୍ୟାଦି ।

ସମ୍ବନ୍ଧିତ ଖବର