ଅନ୍ତର୍ଜାତୀୟ ହଓ୍ଵାଲା ର‍୍ୟାକେଟ୍‌ର ପର୍ଦ୍ଦାଫାସ:୫ ଲକ୍ଷ ଡଲାର ସହ ଧରାପଡ଼ିଲେ ଜେଟ୍‌ ବିମାନ ପରିଚାରିକା

ନୂଆଦିଲ୍ଲୀ: ରାଜସ୍ୱ ଗୁଇନ୍ଦା ବିଭାଗ ଏକ ଅନ୍ତର୍ଜାତୀୟ ହଓ୍ଵାଲା ର‍୍ୟାକେଟ୍‌ର ପର୍ଦ୍ଦାଫାସ କରିଛି। ଏ ବାବଦ ଚଢ଼ଉରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜେଟ୍‌ ଏୟାରେଓ୍ଵଜ୍‌ର ଜଣେ ବିମାନ ପରିଚାରିକା (ଏୟାର ହୋଷ୍ଟେସ)ଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ପ୍ରାୟ ୫ ଲକ୍ଷ ଡଲାର ଜବତ କରାଯାଇଛି। ଏହାର ମୂଲ୍ୟ ୩ କୋଟି ୨୦ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି। ଏହି ବେଆଇନ ଅର୍ଥ କାରବାରରେ ସଂପୃକ୍ତ ୮ ଜଣଙ୍କ ସଂପର୍କରେ ସୁରାକ୍‌ ମିଳିଛି ଏବଂ ରାଜସ୍ୱ ଗୁଇନ୍ଦା ବିଭାଗ ଏହାର ଖୋଳତାଡ଼ ଜାରି ରଖିିଛି। ଦିଲ୍ଲୀ-ହଂକଂ ବିମାନରେ କାର୍ଯ୍ୟରତ ଏହି ଏୟାର ହୋଷ୍ଟେସ ତାଙ୍କର ମେକ୍‌ଅପ୍‌ ବ୍ୟାଗ୍‌ ଓ ଅନ୍ୟ ଜରୁରୀ ଉପକରଣ ସହିତ ଏହି ଅର୍ଥକୁ ଲୁଚାଇ ରଖିଥିଲେ। ଦିଲ୍ଲୀ ବିବେକ ବିହାରର ଅଂଚଳର ଅମିତ ନାମକ ଜଣେ ବ୍ୟକ୍ତି ଏହି ହାଓ୍ଵଲା କାରବାରର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ବିମାନ ପରିଚାରିକା ଜଣକ ୫୦ ପ୍ରତିଶତ କମିସନ ନେଇ ଏହି ବେଆଇନ କାରବାରରେ ସାମିଲ ଥିଲେ ବୋଲି ଜେରା ବେଳେ ସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର