ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ୨ୟ ଲହରକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗୁ କଟକଣାକୁ ଆଉ ଏକ ମାସ ପାଇଁ ବଢାଇ ଦିଆଯାଇଛି । ପୂର୍ବରୁ ଜାରି କଟକଣା ଜୁଲାଇ ୩୧ରେ ସମାପ୍ତ ହେଉଥିବାବେଳେ ତାହାକୁ ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

ଶୁକ୍ରବାର ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଜାରି ସର୍କୁଲାର ଅନୁସାରେ ଭାରତରୁ ଚଳାଚଳ କରୁଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳ ଅଗଷ୍ଟ ୩୧ ରାତି ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ ବନ୍ଦ ରହିବ । ତେବେ କେତେକ ସ୍ବତନ୍ତ୍ର କ୍ଷେତ୍ରରେ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ଦିଆଯାଇପାରିବ ।

ଦେଶରେ କରୋନା ସଂକ୍ରମଣ ବ୍ୟାପିବା ପରେ ଗତ ବର୍ଷ ମାର୍ଚ୍ଚ ୨୩ରୁ ଭାରତରୁ ଅନ୍ତର୍ଜାତୀୟ ସିଡ୍ୟୁଲଡ୍ ବିମାନ ଚଳାଚଳ ବନ୍ଦ ରହିଛି । ତେବେ ୨୦୨୦ ମେ ମାସଠାରୁ ବନ୍ଦେ ଭାରତ ମିଶନ ଅଧିନରେ କେତେକ ବିମାନ ଚଳାଚଳ ହେଉଛି ଓ ୨୦୨୦ ଜୁଲାଇ ମାସଠାରୁ ଏୟାର ବବଲ ମାଧ୍ୟମରେ କେତେକ ଦେଶ ସହ ସ୍ବତନ୍ତ୍ର ବିମାନ ଚଳାଚଳ ଜାରି ରହିଛି । ସେସବୁ ଦେଶମାନଙ୍କ ମଧ୍ୟରେ ଅଛନ୍ତି ବାଂଲାଦେଶ, ଆଫଗାନିସ୍ତାନ, ଆମେରିକା, ଫ୍ରାନ୍ସ, ଜର୍ମାନି, ଇରାକ, ମାଳଦ୍ବୀପ, ନେପାଳ, ଭୁଟାନ, ଜାପାନ, ୟୁଏଇ, କାତାର,ନେଦରଲାଣ୍ଡସ ଇତ୍ୟାଦି ।

ସମ୍ବନ୍ଧିତ ଖବର