ଚୀନ୍‌ ଉପରେ ଅନ୍ତର୍ଜାତୀୟ ଚାପ ବଢ଼ିଲା, ସବୁ ଅଭିଯୋଗର ନିରପେକ୍ଷ ତଦନ୍ତ ହେଉ

ଭାରତ ସମେତ ୬୨ ରାଷ୍ଟ୍ର ‘ହୁ’ରେ ତଦନ୍ତ ପ୍ରସ୍ତାବ ରଖିଲେ

ନୂଆଦିଲ୍ଲୀ: କରୋନାଭୂତାଣୁର ଉତ୍ପତ୍ତିସ୍ଥଳ ଚୀନ୍‌ର ଉହାନ ସହର ହୋଇଥିବା ବେଳେ ଚୀନ୍‌ ସଠିକ୍‌ ସମୟରେ ଭୂତାଣୁଜନିତ ବିପଦ ନେଇ ବିଶ୍ବକୁ ଅବଗତ କରିନଥିବା ଅଭିଯୋଗ ହୋଇଛି। ଏ ବାବଦରେ ତଦନ୍ତ ପାଇଁ ଭାରତ ସମେତ ବିଶ୍ବର ୬୨ଟି ରାଷ୍ଟ୍ର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ରେ ଆନୁଷ୍ଠାନିକ ପ୍ରସ୍ତାବ ରଖିଛନ୍ତି। ଏହି ପ୍ରସ୍ତାବକୁ ଶତାଧିକ ରାଷ୍ଟ୍ର ସମର୍ଥନ କରିଥିବାରୁ ଚୀନ୍‌ ଉପରେ ଅନ୍ତର୍ଜାତୀୟ ଚାପ ବଢ଼ିଯାଇଛି। ‘ହୁ’ର ଏକ ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀ ଆଜି ଅପରାହ୍ନରୁ ଆରମ୍ଭ ହୋଇ ଆସନ୍ତାକାଲି ପର୍ଯ୍ୟନ୍ତ ଜାରି ରହିବ।

ଲକ୍‌ଡାଉନ୍‌ ଯୋଗୁଁ ଏହି ଅଧିବେଶନ ପ୍ରଥମ ଥର ଭିଡିଓ କନ୍‌ଫରେନ୍ସିଂରେ ହେଉଛି। ଆମେରିକା କରୋନା ମହାମାରୀ ପାଇଁ ସିଧାସଳଖ ଚୀନ୍‌କୁ ଦାୟୀ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି। ‘ହୁ’ ଚୀନ୍‌ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରୁଥିବା ମଧ୍ୟ ଆମେରିକା, ବାରମ୍ବାର ଅଭିଯୋଗ କରି ଆସିଛି। କରୋନା ମହାମାରୀ ବ୍ୟାପିବା ପଛରେ ଚୀନ୍‌ ଦାୟୀ କି ନୁହେଁ ଏବଂ ଏହି ଭୂତାଣୁର ଉତ୍ପତ୍ତି କିଭଳି ହେଲା ସେ ନେଇ ସରଜମିନ ତଦନ୍ତ ଆବଶ୍ୟକ ବୋଲି ଶତାଧିକ ରାଷ୍ଟ୍ର ମତ ରଖିଛନ୍ତି।

ଡବ୍ଲ୍ୟୁଏଚ୍‌ଓ ସମ୍ମିଳନୀରେ ଜିନ୍‌ପିଙ୍ଗ୍‌ଙ୍କ ଭିଡିଓ ବାର୍ତ୍ତା
ଜେନେଭା: କ‌ରୋନା ଉତ୍ପତ୍ତିସ୍ଥଳ କେଉଁଠାରୁ ହୋଇଛି ସେନେଇ ତଦନ୍ତ ଆରମ୍ଭ କରିବାପାଇଁ ଭାରତ ସମେତ ଅନ୍ୟ ପ୍ରମୁଖ ରାଷ୍ଟ୍ରମାନେ ଦାବି କରିଛନ୍ତି। ଆଜି ଡବ୍ଲ୍ୟୁଏଚ୍‌ଓର ଏକ ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀ ମଧ୍ୟ ଆରମ୍ଭ ହୋଇଛି। ତେବେ କରୋନା ପାଇଁ ଚୀନ୍‌କୁ ବାରମ୍ବାର ଦାୟୀ କରାଯିବା ଦ୍ବାରା ଚୀନ୍‌ ମୁଣ୍ଡରେ ଚଡ଼କ ପଡ଼ିଛି। ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଆଜି ଡବ୍ଲ୍ୟୁଏଚ୍‌ଓରେ ଏକ ଭିଡିଓ ବାର୍ତ୍ତା ଜାରି କରି ଏହା କହିଛନ୍ତି ଯେ, ଚୀନ୍‌ କରୋନା ଭାଇରସ୍‌କୁ ସଠିକ୍‌ ଭାବେ ମୁକାବିଲା କରିଛି। ତେବେ ଥରେ ଭାଇରସ୍‌ ନିୟନ୍ତ୍ରଣ ହୋଇଗଲେ ଡବ୍ଲ୍ୟୁଏଚ୍ଓ ଅଧୀନରେ କରୋନା ମହାମାରୀ ବିରୋଧରେ ସମଗ୍ର ବିଶ୍ବସ୍ତରରୁ ଯେଉଁ ଅଭିଯୋଗ ଆସିଛି ତାର ନିରପେକ୍ଷ ତଦନ୍ତ କରିବା ପାଇଁ ଜିନ୍‌ପିଙ୍ଗ୍‌ କହିଛନ୍ତି। ସେହିପରି କରୋନା ବିରୋଧୀ ଲଢ଼େଇରେ ସହଯୋଗ ପାଇଁ ଚୀନ୍‌ ୨ ବର୍ଷ ମଧ୍ୟରେ ୨ ଶହ କୋଟି ଡଲାର ଦେବ ବୋଲି ଜିନ୍‌ପିଙ୍ଗ କହିଛନ୍ତି। ଡବ୍ଲ୍ୟୁଏଚ୍ଓର ଏହି ବୈଠକ ପରେ ଚୀନ୍‌ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର