ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଜୀବାଣୁ ସଂକ୍ରମିତ

ୱାସିଂଟନ: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌) ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଛି। ମହାକାଶରେ ପରିକ୍ରମା କରୁଥିବା ଗବେଷଣା କେନ୍ଦ୍ରର ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ ପ୍ରତି ଏହା ବିପଦ ବୋଲି ଜାଣିପାରିଛନ୍ତି ନାସାର ଗବେଷକ। ଗବେଷକମାନେ ମହାକାଶ କେନ୍ଦ୍ରର ୬ଟି ସ୍ଥାନରୁ ସାମ୍ପଲ ସଂଗ୍ରହ କରିଥିଲେ। ମହାକାଶ କେନ୍ଦ୍ରର ଝରକା, ଶୌଚାଳୟ, ଡ଼ାଇନିଙ୍ଗ୍‌ ଟେବୁଲ ଇତ୍ୟାଦି ସ୍ଥାନରୁ ସାମ୍ପଲ ସଂଗ୍ରହ କରାଯାଇ ପାରମ୍ପରିକ ପ୍ରଣାଳୀରେ ଏହାକୁ ପରୀକ୍ଷଣ କରିଥିଲେ। ଦୀର୍ଘ ୧୪ ମାସର ଗବେଷଣା ପରେ ନାସା ଜାଣିବାକୁ ପାଇଥିଲା ଯେ ମହାକାଶ କେନ୍ଦ୍ର ଜୀବାଣୁ ଦ୍ୱାରା ସଂକ୍ରମିତ ଏବଂ ଉକ୍ତ ଜୀବାଣୁଗୁଡିକ ରୋଗାଣୁଯୁକ୍ତ ଯାହା ସମୟକ୍ରମେ ସ୍ଥାନ ପରିବର୍ତ୍ତନ କରୁଛନ୍ତି । ଉକ୍ତ ଜୀବାଣୁ ସାଧାରଣତଃ ଚର୍ମ, ନାକ ଏବଂ ଅନ୍ତରେ ଦେଖାଯାଇଥାଏ। ସେଗୁଡିକ ମଧ୍ୟରେ ଅଧିକାଂଶ ସ୍ଟାଫିଲୋକୋକସ, ପେନ୍‌ଟୋ ଏବଂ ବାସିଲସ୍‌ ହୋଇଥବା ବେଳେ ଏହା ମାନବ ସମ୍ବନ୍ଧୀୟ ବୋଲି ନାସା ଗବେଷକ ଜାଣିବାକୁ ପାଇଛନ୍ତି। ଜୀବାଣୁ ସଂକ୍ରମିତ ମହାକାଶ କେନ୍ଦ୍ର ମହାକାଶଚାରୀଙ୍କ ପାଇଁ ବିପଦ। ଜୀବାଣୁଗୁଡିକର ରୋଗନିରୋଧକ କ୍ଷମତା ବଦଳିଯାଇଥିବା ଯୋଗୁଁ ଏହାର ପୃଥିବୀରେ କୌଣସି ଚିକତ୍ସା ନାହିଁ ବୋଲି କହିଛନ୍ତି ନାସା ଗବେଷକ ତଥା ଭାରତ ମୂଳନିବାସୀ ଡ଼. କସ୍ତୁରୀ ଭେଙ୍କଟେଶ୍ୱରଣ। ବର୍ତ୍ତମାନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୬ ଜଣ ମହାକାଶଚାରୀ ଅଛନ୍ତି। ସଂକ୍ରମିତ ଜୀବାଣୁଗୁଡିକ ମହାକାଶଚାରୀଙ୍କ ଦେହରେ ରୋଗ ସୃଷ୍ଟି କରିପାରନ୍ତି ବୋଲି ଅନ୍ୟତମ ଗବେଷକ ଚେସିଂସ୍କା ସିଲାଫ ଆଶଙ୍କା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର