ଇଣ୍ଟର୍ନେଟ୍ ମୌଳିକ ଅଧିକାରଭୁକ୍ତ: ସାତ ଦିନ ମଧ୍ୟରେ ଜମ୍ମୁ ଓ କଶ୍ମୀରରେ ଲାଗୁ ହୋଇଥିବା କଟକଣାର ସମୀକ୍ଷା କର: ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରେ ଇଣ୍ଟର୍ନେଟ୍ ବନ୍ଦ ଏବଂ ଅନ୍ୟାନ୍ୟ କଟକଣାର ତୁରନ୍ତ ସମୀକ୍ଷା କରିବାକୁ ଶୁକ୍ରବାର ଦିନ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଏନ୍ଭି ରମନା, ଆର୍ ସୁଭାଷ ରେଡ୍ଡୀ ଏବଂ ବିଆର୍ ଗବାଇଙ୍କ ଖଣ୍ଡପୀଠ କହିଛନ୍ତି: ଏ ଭଳି ବନ୍ଦ କେବଳ ନିର୍ଦ୍ଦିଷ୍ଟ ସମୟ ସୀମା ଯାଏଁ ଲାଗୁ କରାଯିବା କଥା। ଏ ଘଟଣାର ନ୍ୟାୟିକ ସମୀକ୍ଷା ଆବଶ୍ୟକ।
ଜମ୍ମୁ ଓ କଶ୍ମୀରରେ ଇଣ୍ଟର୍ନେଟ୍ ଓ ଅନ୍ୟାନ୍ୟ ଯୋଗାଯୋଗ ଉପରେ ଲାଗୁ କରାଯାଇଥିବା କଟକଣାକୁ ଚାଲେଞ୍ଜ୍ କରି ଦାଖଲ କରାଯାଇଥିବା ଗୁଡ଼ାଏ ପିଟିସନ୍ର ଶୁଣାଣି ବେଳେ ସୁପ୍ରିମ୍ କୋର୍ଟ ଏ କଥା କହିଛନ୍ତି।
ଅଗଷ୍ଟ ୫ ତାରିଖ ଦିନ ଧାରା ୩୭୦ ଉଚ୍ଛେଦ ହେବା ପରେ କଶ୍ମୀର ଉପତ୍ୟକାରେ ୧୬୦ ଦିନ ହେବ ଇଣ୍ଟର୍ନେଟ୍ ଯୋଗାଯୋଗ ଉପରେ କଟକଣା ଲାଗୁ ହୋଇଥିଲା।
ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି: ସମ୍ବିଧାନର ଧାରା ୧୯ ଅନୁସାରେ ଇଣ୍ଟର୍ନେଟ୍ ହେଉଛି ବାକ୍ ସ୍ୱାଧୀନତା ଅଧିକାର ଅନ୍ତର୍ଭୁକ୍ତ। ଇଣ୍ଟର୍ନେଟ୍ ଉପରେ ଲାଗୁ ହେବାକୁ ଥିବା କଟକଣା ସମ୍ବିଧାନର ଧାରା ୧୯ (୨) ଅନୁଯାୟୀ ହେବା କଥା।

ଏହାଛଡ଼ା ସମଗ୍ର ଉପତ୍ୟକାରେ ଲାଗୁ କରାଯାଇଥିବା କଟକଣାଗୁଡ଼ିକୁ ସରକାର ସାର୍ବଜନୀନ କରି ପ୍ରକାଶ କଲେ ସେଗୁଡ଼ିକୁ ଅଦାଲତରେ ଚାଲେଞ୍ଜ୍ କରି ହୁଅନ୍ତା ବୋଲି ସୁପ୍ରିମ୍ କୋର୍ଟ ମତ ଦେଇଛନ୍ତି।
ଖଣ୍ଡପୀଠ ଆହୁରି କହିଛନ୍ତି: କ୍ଷମତାର ଯଥେଚ୍ଛା ପ୍ରୟୋଗ କରି ମୌଳିକ ଅଧିକାରକୁ ସଙ୍କୁଚିତ କରାଯାଇ ପାରିବ ନାହିଁ।
କଶ୍ମୀରରେ ଗୁଡ଼ାଏ ହିଂସାକାଣ୍ଡ ଘଟିଲାଣି। ଲୋକମାନଙ୍କ ନିରାପତ୍ତା ଏବଂ ସ୍ୱାଧୀନତା ମଧ୍ୟରେ ସନ୍ତୁଳନ ରକ୍ଷା ନିମନ୍ତେ ଉପାୟ କରିବା ବିଷୟରେ ଆମେ ଚେଷ୍ଟା କରୁଛୁ। ନାଗରିକମାନେ ସେମାନଙ୍କର ମୌଳିକ ଅଧିକାରୁ ଯେପରି ବଞ୍ଚିତ ନ ହୁଅନ୍ତି ସେ ବିଷୟରେ ଆମେ ନିଶ୍ଚିତ ହେବା ଉଚିତ। ଏଥିରେ ଥିବା ରାଜନୈତିକ ଉଦ୍ଦେଶ୍ୟ ବିଷୟରେ ଆମେ ହସ୍ତକ୍ଷେପ କରୁନାହୁଁ।