କୋଲକାତା: ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନ୍କୁ ବିରୋଧ କରି କରାଯାଉଥିବା ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନକାରୀଙ୍କୁ ଆୟତ୍ତ କରିବା ପାଇଁ ପଶ୍ଚିମବଙ୍ଗ ସରକାର ରାଜ୍ୟର କେତୋଟି ଜିଲ୍ଲାରେ ରବିବାର ଇଣ୍ଟର୍ନେଟ୍ ସେବା ବନ୍ଦ କରି ଦେଇଛନ୍ତି।
ମାଳଦା, ମରସିଦାବାଦ୍, ଉତ୍ତର ଦିନାଜପୁର, ହାୱଡା ଏବଂ ଦକ୍ଷିଣ ୨୪ ପରଗନା ଓ ଉତ୍ତର ୨୪ ପରଗନାର କିଛି ଅଞ୍ଚଳ ଏଥିଯୋଗୁ ପ୍ରଭାବିତ ହୋଇଛି। ଏହି ସବୁ ଅଞ୍ଚଳରୁ ଇଣ୍ଟର୍ନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି।
ସଂପୃକ୍ତ ଅଞ୍ଚଳକୁ ଆୟତ୍ତ କରିବାକୁ ପୁଲିସ୍କୁ ନାହିଁନଥିବା ଅସୁବିଧା ଦେଇ ଗତି କରିବାକୁ ପଡୁଛି। ପୂର୍ବ ଦୁଇ ଦିନ ମଧ୍ୟରେ ଉତ୍ୟକ୍ତ ଲୋକମାନେ ଯାହା ସବୁ ଘଟାଇଛନ୍ତି ତୃତୀୟ ଦିନରେ ଉତ୍ତେଜନା ବୃଦ୍ଧି ପାଇଛି ବରଂ କମିବାର ନାଁ ଧରୁନାହିଁ।

ଉଲ୍ଲେଖଯୋଗ୍ୟ, ଗତ କାଲି ଆନ୍ଦୋଳନକାରୀମାନେ ଟ୍ରେନ୍, ବସ୍, ଷ୍ଟେସନ୍ ଓ ଟୋଲ୍ ପ୍ଲାଜା ଆଦିରେ ନିଆଁ ଲଗାଇଥିବା ବେଳେ ପୁଲିସ୍ ପରିସ୍ଥିତିକୁ ଆୟତ୍ତ କରିବାରେ ଅସମର୍ଥ ହୋଇଥିଲା। ପ୍ରାୟ ୨୦୦ ଆନ୍ଦୋଳନକାରୀ ମିଶି ଏପରି ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା।
ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ନିବେଦନ କରିଥିବା ବେଳେ ଯଦି କେହି ନିୟମକୁ ହାତକୁ ନିଅନ୍ତି ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ।