ନୂଆଦିଲ୍ଲୀ: ଇଣ୍ଟରନେଟ୍ ସେବା ଜଣେ ନାଗରିକର ବାକ୍ ସ୍ବାଧୀନତା ସହ ସଂପୃକ୍ତ, ତେଣୁ କୌଣସି ଗୁରୁତ୍ବପୂର୍ଣ୍ଣ କାରଣ ନ ଦର୍ଶାଇ ଏହାକୁ ବନ୍ଦ କରାଯାଇପାରିବ ନାହିଁ। ଏଥି ସହ ଇଣ୍ଟରନେଟ୍ ସେବା ସହାୟତାରେ ବ୍ୟବସାୟ ଚଳାଇବା ମଧ୍ୟ ଜଣଙ୍କର ମୌଳିକ ଅଧିକାରର ଅନ୍ତର୍ଭୁକ୍ତ । ସମ୍ବିଧାନର ଧାରା ୧୯ ଅନୁଯାୟୀ ନାଗରିକକୁ ପ୍ରଦାନ କରାଯାଇଥିବା ସବୁ ସ୍ବାଧୀନତା ଏକ ମୌଳିକ ଅଧିକାର। ସରକାର ପ୍ରକୃତ କାରଣ ନ ଦେଖାଇ ନାଗରିକଙ୍କୁ ଏଥିରୁ ବଞ୍ଚିତ କରିପାରିବେ ନାହିଁ। ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ସମୟରେ କେନ୍ଦ୍ର ସରକାର ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୂପ ଇଣ୍ଟରନେଟ୍ ସେବା ରଦ୍ଦ କରିବା ବିରୋଧରେ ସୁପ୍ରିମ କୋର୍ଟରେ ଦାୟର ହୋଇଥିବା ବିଭିନ୍ନ ମାମଲାର ବିଚାର କରି ସର୍ବୋଚ୍ଚ ଅଦାଲତଙ୍କ ତିନି ଜଣିଆ ଖଣ୍ଡପୀଠ ଉପରୋକ୍ତ ମନ୍ତବ୍ୟ ଦେବା ସହ କଶ୍ମୀରରେ କାହିଁକି ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା, ତାହା ୭ଦିନ ମଧ୍ୟରେ ଜଣାଇବା ପାଇଁ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି।
ଜଷ୍ଟିସ୍ ଏନ୍.ଭି.ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି ସମୟରେ କହିଛନ୍ତି, ବ୍ୟକ୍ତିର ଭାବ ପ୍ରକାଶର ସ୍ବାଧୀନତା ଏବଂ ଇଣ୍ଟରନେଟ୍ ଜରିଆରେ ବ୍ୟବସାୟ-ବାଣିଜ୍ୟ କରିବାର ସ୍ବାଧୀନତା ସମ୍ବିଧାନର ଧାରା ୧୯(୧) ଅଧିନରେ ପ୍ରଦାନ କରାଯାଇଛି। ଏହି ସ୍ବାଧୀନତା ଉପରେ ଅଙ୍କୁଶ କେବଳ ବିଶେଷ ପରିସ୍ଥିତିରେ ଲଗାଯାଇପାରିବ। ସମ୍ବିଧାନର ଧାରା ୧୯(୨)ରେ ଥିବା ବ୍ୟବସ୍ଥା ଅନୁସାରେ ହିଁ କେବଳ ଏହି ଅଧିକାରୀ ଉପରେ ଅଙ୍କୁଶ ଲଗାଇ ପାରିବେ ସରକାର।
/sambad/media/post_attachments/4b236b6ad32743fd1e4326f0f11d82b0dc9e34f07f10fda636ae1c6625ecd69e.jpeg)
ଏହି ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଇଣ୍ଟରନେଟ୍ ସେବା ବନ୍ଦ ନେଇ ଯେଉଁ ସବୁ ନିର୍ଦ୍ଦେଶନାମା ଜାରି କରିଥିଲେ ତାହାକୁ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଭାରତୀୟ ଦଣ୍ଡ ସଂହିତାର ଧାରା ୧୪୪ ଜାରି ନେଇ ଯେତେ ବି ନିର୍ଦ୍ଦେଶନାମା ଜାରି ହୋଇଛି, ତାହା ପ୍ରକାଶ କରିବାକୁ କହିଛନ୍ତି। କୋର୍ଟ କହିଛନ୍ତି, ବାରମ୍ବାର ଧାରା ୧୪୪ର ବ୍ୟବହାର କ୍ଷମତାର ଅପବ୍ୟବହାର। ଆଇନ ସମ୍ମତ ମତ ପ୍ରକାଶ ଅଧିକାରକୁ ଏହି ଧାରାର ବାରମ୍ବାର ବ୍ୟବହାର ଦ୍ବାରା ଚାପି ଦିଆଯାଇ ପାରିବ ନାହିଁ।
ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ସମୟରେ କେନ୍ଦ୍ର ସରକାର ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ବରୂପ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଲାଗି ଯେଉଁ ସବୁ ପଦକ୍ଷେପ ଗ୍ରହଣ କରିଥିଲେ, ତା’ ବିରୋଧରେ ସୁପ୍ରିମକୋର୍ଟରେ କଂଗ୍ରେସ ନେତା ଗୁଲାମ ନବି ଆଜାଦ, କଶ୍ମୀର ଟାଇମ୍ସର ସଂପାଦକ ଅନୁରାଧା ଭାସିନ୍ ପ୍ରମୁଖ କରିଥିବା ମାମଲାର ଶୁଣାଣି ଆଜି ହୋଇଛି।ତିନି ଜଣିଆ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରୁଥିବା ବେଳେ ସରକାରଙ୍କ ପକ୍ଷ ରଖୁଥିବା ଆଇନଜୀବୀ, କେନ୍ଦ୍ର ସରକାର ହିଂସାକୁ ରୋକିବା ଲାଗି ପଦକ୍ଷେପ ନେଇଥିଲେ। ଏହା ଦ୍ବାରା ଗୋଟିଏ ବି ଜୀବନ ଯାଇ ନାହିଁ ଏବଂ ଗୋଟିଏ ବି ଗୁଳି ଫୁଟି ନାହିଁ ବୋଲି ଯୁକ୍ତି ବାଢ଼ିଥିଲେ।