ସିଏଏ ବିରୋଧୀ ଆନ୍ଦୋଳନ: ୟୁପି, ଦିଲ୍ଲୀ ଓ ମୁମ୍ବାଇରେ ସୁରକ୍ଷା କଡ଼ାକଡ଼ି

ୟୁପିରେ ଇଣ୍ଟରନେଟ୍‌ ସେବା ବନ୍ଦ

ଲକ୍ଷ୍ନୌ/ନୂଆଦିଲ୍ଲୀ: ସିଏଏକୁ ବିରୋଧ କରି ହିଂସା ଆଶଙ୍କା ଥିବାରୁ ଉତ୍ତରପ୍ରଦେଶର ୨୧ଟି ଜିଲ୍ଲା, ଦିଲ୍ଲୀ ଏବଂ ମୁମ୍ବାଇରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଆଜି ଶୁକ୍ରବାର ପ୍ରାର୍ଥନା ପରେ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ବଡ଼ ଧରଣର ଆନ୍ଦୋଳନ ଆଶଙ୍କା ରହିଥିଲା। ତେବେ ପୁଲିସ ପ୍ରଶାସନର ଆଗୁଆ ସତର୍କତା ପଦକ୍ଷେପ ଏବଂ ଶାନ୍ତି ରକ୍ଷା ପାଇଁ ସରକାରଙ୍କ ଉଦ୍ୟମ ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଉତ୍ତରପ୍ରଦେଶର ୨୧ଟି ଜିଲ୍ଲାରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ଲକ୍ଷ୍ନୌ, ହାପୁର, ଗାଜିଆବାଦ୍‌, ବୁଲନ୍ଦସର, ମିରଟ, କାନପୁର, ଫିରୋଜାବାଦ, ବରେଲି, ଶାହରନପୁର, ବିଜନୋର, ରାମପୁର, ଆମ୍‌ରୋହା, ବାହରେଚ୍‌, ମୁଜାଫରନଗର, ସମ୍ଭଲ, ଶାମ୍‌ଲି, ବାରାଣାସୀ, ଆଜମଗଡ଼ରେ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି। ଉତ୍ତରପ୍ରଦେଶରେ ସିଏଏ ବିରୋଧୀ ଆନ୍ଦୋଳନ ପାଇଁ ଆଜି ସୁଦ୍ଧା ୧୧୦୦ରୁ ଅଧିକ ଗିରଫ ହୋଇଛନ୍ତି ଏବଂ ୫୦୦୦ରୁ ଅଧିକ ଅଟକ ରହିଛନ୍ତି। ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସିଏଏ ସଂକ୍ରାନ୍ତରେ ସଚେତନ କରାଯାଉଛି। ଉତ୍ତରପ୍ରଦେଶ ଡିଜିପି ଓପି ସିଂହ କହିଛନ୍ତି ଗତ ୪ ଦିନ ଧରି ରାଜ୍ୟରେ ଶାନ୍ତି ବଜାୟ ରହିଛି ଏବଂ ଆଇନ ଶୃଙ୍ଖଳା ସ୍ଥିତି ସୁଧୁରୁଛି।

ମୁମ୍ବାଇରେ ସିଏଏକୁ ସମର୍ଥନ ଓ ବିରୋଧରେ ଶୋଭାଯାତ୍ରା
ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମଧ୍ୟ ଆଜି ସିଏଏକୁ ବିରୋଧ କରି ‌ବିକ୍ଷୋଭ ଶୋଭାଯାତ୍ରା ହୋଇଥିବା ବେଳେ ସିଏଏ ସମର୍ଥନରେ ମଧ୍ୟ ଶୋଭାଯାତ୍ରା ଦେଖିବାକୁ ମିଳିଛି। ମୁମ୍ବାଇ ଆଜାଦ ମୈଦାନରେ ସିଏଏକୁ ବିରୋଧ କରି ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ଅଗଷ୍ଟ କ୍ରାନ୍ତି ମୈଦାନରେ ସିଏଏ ସମର୍ଥନରେ ବିଶାଳ ଜନସଭା ଅନୁଷ୍ଠିତ ହୋଇଛି। ବହୁ ସଂଖ୍ୟାରେ ଲୋକେ ହାତରେ ତିରଙ୍ଗା ଧରି ସିଏଏ ସମର୍ଥନରେ ସ୍ଲୋଗାନ ଦେଇଥିଲେ। ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଅନ୍ୟ ବରିଷ୍ଠ ବିଜେପି ନେତାମାନେ ସିଏଏ ସମର୍ଥକଙ୍କ ସମାବେଶରେ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ବିରୋଧକୁ ମଧ୍ୟ ଦୃଷ୍ଟିରେ ରଖି ସହରରେ ସୁରକ୍ଷା ବନ୍ଦୋବସ୍ତ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର