ୟୁପିରେ ହିଂସା ଆଶଙ୍କା, ବିଭିନ୍ନ ସହରରେ ଇଣ୍ଟରନେଟ୍‌ ବନ୍ଦ

ଶାହରନପୁରରେ ହାଇ ଆଲର୍ଟ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ପୁଣି ଥରେ ସିଏଏ ବିରୋଧୀ ହିଂସା ଘଟିବା ଆଶଙ୍କା ବଳବତ୍ତର ହୋଇଛି। ହିଂସା ସ୍ଥିତିରେ ସୁଧାର ହୋଇ ଆସୁଥିବା ବେଳେ ପୁଣି ଥରେ ବ୍ୟାପକ ହିଂସା ଷଡ଼ଯନ୍ତ୍ର ନେଇ ଗୁଇନ୍ଦା ସଂସ୍ଥାର ରିପୋର୍ଟ ଆଧାରରେ ସରକାର ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତାକାଲି ନମାଜ ପରେ ବିଭିନ୍ନ ସହରରେ ହିଂସାତ୍ମକ ବିକ୍ଷୋଭ ପାଇଁ ଯୋଜନା ଚାଲିଥିବା ରିପୋର୍ଟ ମିଳିଛି। ବୁଲନ୍ଦସହର ଏବଂ ଆଗ୍ରାରେ ସିଏଏ ବିରୋଧୀ ହିଂସା ଆଶଙ୍କା କରି ଇଣ୍ଟରନେଟ୍‌ ବନ୍ଦ କରାଯାଇଛି। ଆଜି ସନ୍ଧ୍ୟା ୫ଟାରୁ ୨୮ ତାରିଖ ପର୍ଯ୍ୟନ୍ତ ବୁଲନ୍ଦସରରେ ଇଣ୍ଟରନେଟ୍‌ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଆଗ୍ରାରେ ଆସନ୍ତାକାଲି ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ ରହିବ। ‌ସେପଟେ ଶାହରନପୁରରେ ହାଇ ଆଲର୍ଟ ଜାରି ହୋଇଛି। ଶାହରନପୁରରେ ମଧ୍ୟ ଆସନ୍ତାକାଲି ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ ରହିଛି। ସମସ୍ତ ଜିଲ୍ଲା ପ୍ରଶାସନକୁ ସର୍ବାଧିକ ସତର୍କ ରହିବାକୁ ନିର୍ଦ୍ଦେଶ ମିଳିଛି। ଜିଲ୍ଲାପାଳମାନଙ୍କୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ ଆଦେଶ ଦେବା ପାଇଁ ଅଧିକାର ମଳିଛି। ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଶାହରନପୁରରେ ସ୍ଥାନୀୟ ଜନତା ଏବଂ ଧାର୍ମିକ ଅନୁଷ୍ଠାନ ସହ ଆଲୋଚନା କରୁଛନ୍ତି। ବିଭିନ୍ନ ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାପାଇଁ ପ୍ରୟାସ ଜାରି ରହିଛି। ‌ଯେଉଁମାନେ ସୋସିଆଲ ମିଡିଆରେ ଗୁଜବ ପ୍ରସାର କରୁଛନ୍ତି ସେମାନଙ୍କୁ ଚିହ୍ନଟ କରି ଗିରଫ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ଶୁକ୍ରବାର ଦିନ ୧୪ଟି ସହରରେ ବ୍ୟାପକ ହିଂସା ଘଟିଥିବା ବେଳେ ହିଂସାରେ ଏ ପର୍ଯ୍ୟନ୍ତ ୧୯ ଜଣଙ୍କ ମୃତ୍ୟୁ ଘଟିଲାଣି। ୫୭ ଜଣ ପୁଲିସ କର୍ମୀ ମଧ୍ୟ ଉପଦ୍ରବକାରୀଙ୍କ ଗୁଳିମାଡ଼ରେ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର