ଅଫଜଲ ଗୁରୁର ମୃତ୍ୟୁବାର୍ଷିକୀ ଉପଲକ୍ଷେ କଶ୍ମୀରରେ ବନ୍ଦ ଡାକରା, ପୁଣି ବନ୍ଦ କରାଗଲା ଇଣ୍ଟରନେଟ୍‌

ନୂଆଦିଲ୍ଲୀ : ରବିବାରଦିନ ଅଫଜଲ ଗୁରୁର ମୃତ୍ୟୁବାର୍ଷିକୀ ଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କଶ୍ମୀର ଘାଟିରେ ଇଣ୍ଟରନେଟ୍‌ ସେବାକୁ ପୁଣି ବନ୍ଦ କରିଦିଆଯାଇଛି । ୨୦୦୧ରେ ହୋଇଥିବା ଭାରତୀୟ ସଂସଦ ଉପରେ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୧୩ ଫେବ୍ରୁଆରୀ ୯ରେ ଫାଶୀ ପାଇଥିଲା ।
ଜାମ୍ମୁ ଓ କଶ୍ମୀର ମୁକ୍ତି ସାମୁଖ୍ୟ (ଜେକେଏଲଏଫ) ପକ୍ଷରୁ ଫେବ୍ରୁଆରି ୯ ଅଫଜଲର ମୃତ୍ୟୁବାର୍ଷିକୀ ଓ ଫେବ୍ରୁଆରି ୧୧ ମକବୁଲ ଭଟର ମୃତ୍ୟୁବାର୍ଷିକୀ ଉପଲକ୍ଷେ ଘାଟିରେ ବନ୍ଦ ଡାକରା ଦିଆଯାଇଛି । ଭଟ ହେଉଛି ଜାତୀୟ ମୁକ୍ତି ସାମୁଖ୍ୟ (ଏନଏଲଏଫ୍‌)ର ପ୍ରତିଷ୍ଠାତା । ଭାରତ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ତାକୁ ୧୯୮୪ ମସିହାରେ ଦିଲ୍ଲୀର ତିହାର ଜେଲରେ ଫାଶୀ ଦିଆଯାଇଥିଲା ।
ମିଳିଥିବା ସୂଚନା ଅନୁସାରେ ରବିବାରଦିନ ବନ୍ଦ ପାଳନ ଯୋଗୁଁ ସମଗ୍ର କଶ୍ମୀର ଘାଟିରେ ଜୀବନଯାତ୍ରା ବ୍ୟାହତ ହୋଇଛି । ସାଧାରଣ ପରିବହନ ବ୍ୟବସ୍ଥା ମଧ୍ୟ ଅଚଳ ହୋଇଯାଇଛି । ସେନା ଓ ସୁରକ୍ଷାବଳ ପକ୍ଷରୁ ଶ୍ରୀନଗର ଓ ଅନ୍ୟ ଅଞ୍ଚଳରେ ପାଟ୍ରୋଲିଂ କରାଯାଉଛି ଓ ଗୁଜବ ଉପରେ ବିଶ୍ୱାସ ନକରିବାକୁ ନିବେଦନ କରାଯାଇଛି । ଏହି ବନ୍ଦ ଡାକରା ଦିଆଯଇଥିବା ଜେକେଏଲଏଫ ନେତା ମାନଙ୍କ ବିରୁଦ୍ଧରେ ପୁଲିସ ପକ୍ଷରୁ ଏଫଆଇଆର ରୁଜ୍ଜୁ କରାଯାଇଛି ।
ଗତ ଅଗଷ୍ଟ ମାସରେ ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଲମ୍ବା ସମୟ ଧରି ସେଠାରେ ଇଣ୍ଟରନେଟ ସେବା ବନ୍ଦ ଥିଲା । କିଛି ଦିନ ପୂର୍ବେ ହିଁ ଏହାକୁ ଚାଲୁ କରାଯାଇଥିଲା ।

ସମ୍ବନ୍ଧିତ ଖବର