ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କ ଟ୍ରାକ୍ଟର ରାଲିରେ ହିଂସା ଘଟିବା ପରେ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଏହି ଅଞ୍ଚଳଗୁଡ଼ିକ ମଧ୍ୟରେ ସିଙ୍ଗୁ ସୀମା, ଟିକ୍ରି ସୀମା, ଗାଜିପୁର ସୀମା, ମୁବାରକା ଚୌକ ଏବଂ ନାଙ୍ଗଲୋଇ ଆଦି ରହିଛି। ଏସବୁ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ସାମୟିକ ଭାବେ ବନ୍ଦ କରାଯାଇଛି।
ସରକାରଙ୍କ ଦ୍ବାରା ଜାରି ନିର୍ଦ୍ଦେଶ ଅନୁଯାୟୀ, ଏ ସବୁ ଅଞ୍ଚଳରେ ମଙ୍ଗଳବାର ରାତି ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର କିମ୍ବା ଦିଲ୍ଲୀ ସରକାରଙ୍କ ଗୃହ ସଚିବ ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଥାଆନ୍ତି । ଏହି ଆଦେଶ ଏସପି କିମ୍ବା ତଦୁର୍ଦ୍ଧ୍ୱ ପଦବୀର ଜଣେ ଅଧିକାରୀଙ୍କ ମାଧ୍ୟମରେ ପଠାଯାଇଥାଏ। ଆଦେଶପ୍ରାପ୍ତ ଅଧିକାରୀ ସେବା ପ୍ରଦାନକାରୀଙ୍କୁ ଇଣ୍ଟରନେଟ୍ ସେବାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥାଆନ୍ତି।
ଯେକୌଣସି ଆନ୍ଦୋଳନ, ଦଙ୍ଗା ଏବଂ ହିଂସାତ୍ମକ ଘଟଣା ସମୟରେ ପୁଲିସ-ପ୍ରଶାସନର ସେହି ଅଞ୍ଚଳର ଇଣ୍ଟରନେଟ୍ ସେବା ବନ୍ଦ କରିବାର ଅଧିକାର ରହିଛି। ଏହା ଏଥିପାଇଁ କରାଯାଇଥାଏ କି ଇଣ୍ଟରନେଟ ସେବା ଦ୍ବାରା କୌଣସି ପ୍ରକାର ଗୁଜବ, ମିଥ୍ୟା ଖବର ଓ ଭୁଲ ବାର୍ତ୍ତା ପ୍ରଚାର ନ କରାଯାଉ। ଯଦି କିଛି ଗୁଜବ ବା ମିଥ୍ୟା ଖବର ପ୍ରଚାର ହୋଇଯାଏ ତେବେ ପରିସ୍ଥିତି ଖରାପ ହେବାର ଆଶଙ୍କା ରହିଥାଏ। ଏଭଳି ପଦକ୍ଷେପ ସୁରକ୍ଷା ଏବଂ ଶାନ୍ତି ବଜାୟ ରଖିବା ପାଇଁ ନିଆଯାଇଥାଏ।