ନୂଆଦିଲ୍ଲୀ: ବରେଲିରେ ଗତ ଶୁକ୍ରବାର ପ୍ରାର୍ଥନା ପରେ ‘ଆଇ ଲଭ୍ ମହମ୍ମଦ’ ଅଭିଯାନକୁ ସମର୍ଥନ କରି ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏହି ହିଂସାତ୍ମକ ସଂଘର୍ଷର ମାଷ୍ଟରମାଇଣ୍ଡ ଥିବା ଅଭିଯୋଗରେ ସ୍ଥାନୀୟ ମୌଲାନା ତଥା ଇତ୍ତେହାଦ୍-ଏ-ମିଲ୍ଲତ ପରିଷଦର ମୁଖ୍ୟ ତୌକିର ରଜା ଖାନକୁ ପୁଲିସ ଗିରଫ କରିଛି।
ହିଂସାତ୍ମକ ସଂଘର୍ଷ ପରିସ୍ଥିତି ସମୟରେ ଦଶହରା ଉତ୍ସବକୁ ଦୃଷ୍ଟିରେ ରଖି ବରେଲି ଡିଭିଜନର ଚାରୋଟି ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ, ପିଏସି ଏବଂ ଆରଏଏଫ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ଡ୍ରୋନ ମାଧ୍ୟମରେ ବରେଲିର ପ୍ରତିଟି କୋଣଅନୁକୋଣ ଉପରେ ନଜର ରଖାଯାଇଛି।
ଏଥିସହିତ ଅକ୍ଟୋବର ୨ ଗୁରୁବାର ଅପରାହ୍ନ ୩ଟାରୁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଏହି ନିଷେଧ ଆଗାମୀ ଶନିବାର ଅପରାହ୍ନ ପର୍ଯ୍ୟନ୍ତ ଜାରି ରହିବ। ପୂର୍ବରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ କରାଯାଇଥିବା ଅଧିକାରୀମାନଙ୍କ ସୂତରୁ ପ୍ରକାଶ।
ଡିଭିଜନାଲ କମିଶନର ଭୂପେନ୍ଦ୍ର ଏସ. ଚୌଧୁରୀ କହିଛନ୍ତି ଯେ ବରେଲିରେ ସମ୍ପ୍ରତି ଘଟିଥିବା ହିଂସା ପରେ ଆଜି ଦଶହରା ଉତ୍ସବକୁ ଦୃଷ୍ଟିରେ ରଖି ବରେଲି, ଶାହଜାହାନପୁର, ପିଲିଭିତ ଏବଂ ବଦାୟୁଁ ଜିଲ୍ଲା ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ରାମଲୀଳା, ଦୁର୍ଗା ପୂଜା ମେଳା ଏବଂ ରାବଣ ଦହନ ସମାରୋହ ଭଳି ଜନଗହଳିପୂର୍ଣ୍ଣ କାର୍ଯ୍ୟକ୍ରମ ସମୟରେ ସଜାଗ ରହିବା ପାଇଁ ପୁଲିସ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି।
ବିଜୟାଦଶମୀ ଏବଂ ସମ୍ବନ୍ଧୀୟ ପର୍ବଗୁଡ଼ିକର ଶାନ୍ତିପୂର୍ଣ୍ଣ ପରିଚାଳନା ସୁନିଶ୍ଚିତ କରିବା ପାଇଁ ପ୍ରଶାସନ କଡ଼ା ନଜର ରଖିଛି। ଏଥିସହିତ କର୍ତ୍ତବ୍ୟରେ ଅବହେଳା ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଚେତାବନୀ ଦିଆଯାଇଛି। ଗୁଇନ୍ଦା ସଂସ୍ଥାଗୁଡ଼ିକୁ ମଧ୍ୟ ସଜାଗ ରଖାଯାଇଛି।
ଗତ ଶୁକ୍ରବାର ନମାଜ ପରେ, କୋତୱାଲି ଅଞ୍ଚଳର ଏକ ମସଜିଦ ବାହାରେ ୨୦୦୦ ରୁ ଅଧିକ ଲୋକଙ୍କ ଭିଡ଼ ଜମା ହୋଇଥିଲା। ପଥର ମାଡ଼ ଏବଂ ଲାଠିଚାର୍ଜରେ କିଛି ପୁଲିସ କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/02/untitled-29-2025-10-02-16-54-22.jpg)