ଇମ୍ଫାଲ୍: ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହଙ୍କ ଗସ୍ତ ପୂର୍ବରୁ ହିଂସାକାଣ୍ଡ ସଙ୍ଗଠିତ ହେବାରୁ ଚୁରାଚାନ୍ଦପୁର ଜିଲ୍ଲାରେ ମଣିପୁର ସରକାର ଜନସମାବେଶ ଉପରେ ନିଷେଧାଜ୍ଞା ଜାରି କରିବା ସହିତ ଇଣ୍ଟର୍ନେଟ୍ ସେବା ବନ୍ଦ ରଖିଛନ୍ତି।
ସୂଚନାଯୋଗ୍ୟ, ଆଜି ମଣିପୁରର ମୁଖ୍ୟମନ୍ତ୍ରୀ ଚୁରାଚାନ୍ଦପୁର ଜିଲ୍ଲା ଗସ୍ତରେ ଆସି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥାଆନ୍ତେ। କିନ୍ତୁ, ଗୁରୁବାର ଦିନ ଦଳେ ଉତ୍ତ୍ୟକ୍ତ ଜନତା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳରେ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଥିଲେ। ସଂରକ୍ଷିତ ଓ ସୁରକ୍ଷିତ ଜଙ୍ଗଲ ଏବଂ ଦଳାଭୂଇଁ ଭଳି ଅଞ୍ଚଳରେ ‘ବିଜେପି’ ସରକାର କରୁଥିବା ସର୍ବେକ୍ଷଣକୁ ବିରୋଧ କରି ସେମାନେ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି।
ଉତ୍ତ୍ୟକ୍ତ ଜନତା ଚେୟାର୍ ଭଙ୍ଗାଭଙ୍ଗି କରିବା ସହିତ କାର୍ଯ୍ୟକ୍ରମ ସ୍ଥଳ ପରିସରରେ ଥିବା ଅନ୍ୟାନ୍ୟ ପ୍ରତିଷ୍ଠାନରେ ମଧ୍ୟ ଭଙ୍ଗାରୁଜା କରିଥିଲେ। ନିୟୁ ଲାମ୍କାସ୍ଥିତି ପି. ଟି. ସ୍ପୋର୍ଟସ୍ କମ୍ପ୍ଲେକ୍ସ୍ରେ ନବନିର୍ମିତ ‘ଜିମ୍’ରେ ଥିବା କ୍ରୀଡ଼ା ଉପକରଣଗୁଡ଼ିକୁ ବି ସେମାନେ ପୋଡ଼ି ପକାଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍ଘାଟନ କରିଥାଆନ୍ତେ ବୋଲି ପୁଲିସ ଗଣମାଧ୍ୟମକୁ କହିଛି।
ଏହି ଘଟଣା ପରେ ପରେ ଚୁରାଚାନ୍ଦପୁର ଜିଲ୍ଲାରେ ଇଣ୍ଟର୍ନେଟ୍ ସେବା ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ବେଳେ ୧୪୪ ଧାରା ଜାରି କରାଯାଇଛି।
ସ୍ଥାନୀୟ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇ ଦେଇଥିଲେ। କିନ୍ତୁ, ସେତେବେଳକୁ ଅସଂଖ୍ୟ ଚେୟାର୍ ପୋଡ଼ିଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଚୁରାଚାନ୍ଦପୁର ପ୍ରଶାସନ ଜିଲ୍ଲାରେ ନିରାପତ୍ତା ବ୍ୟବସ୍ଥା କଠୋର କରିଛି, ହେଲେ ପରିସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି।