ଇମ୍ଫାଲ୍: ନାଗରିକ ସଂଶୋଧନ ବିଲ୍-୨୦୧୬କୁ ବିରୋଧ କରି ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଚାଲିଥିବା ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ଆଜି ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ଆଗତ ହେବାର ଥିଲେ ମଧ୍ୟ ତାହା ହୋଇପାରିନାହିଁ। କିନ୍ତୁ ବିଲ୍କୁ ବିରୋଧ କରି ମଣିପୁରର ଇମ୍ଫାଲ୍ରେ ଆଜି ବ୍ୟାପକ ହିଂସା ଉପୁଜିଛି। ଇମ୍ଫାଲ୍ ସହରରେ କର୍ଫ୍ୟୁ ଜାରି ହୋଇଛି ଏବଂ ରାଜ୍ୟରେ ୫ ଦିନ ପର୍ଯ୍ୟନ୍ତ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି। ପୂର୍ବ ଇମ୍ଫାଲ୍ ଏବଂ ପଶ୍ଚିମ ଜିଲ୍ଲା ଗୁଡ଼ିକରେ ୧୪୪ ଧାରା ଜାରି ହୋଇଛି। ମଣିପୁରରେ ୩୬ ଘଣ୍ଟିଆ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ସେପଟେ ସିଭିଲ୍ ସୋସାଇଟି ଗୋଷ୍ଠୀ ମଧ୍ୟ ଇମ୍ଫାଲ୍ରେ କଳା ପତାକା ପ୍ରଦର୍ଶନ କରିଛନ୍ତି। ଉତ୍ତରପୂର୍ବରେ ଆସାମ, ମଣିପୁର, ମିଜୋରାମ ଏବଂ ମେଘାଳୟରେ ସବୁ ବିରୋଧୀ ଦଳ ଏକଜୁଟ୍ ହୋଇ ଏହି ବିଲ୍ ପ୍ରତ୍ୟାହାର କରିନେବାକୁ ଦାବି କରିଛନ୍ତି।