ସିଂଘୁ, ଗାଜିପୁର ଓ ଟିକ୍ରି ସୀମାରେ ଉତ୍ତେଜନା ଜାରି; ଅସ୍ଥାୟୀ ଭାବେ ବନ୍ଦ ହେଲା ଇଣ୍ଟର୍‌ନେଟ୍‌ ସେବା

ନୂଆଦିଲ୍ଲୀ: କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ହିଂସା ପରେ ଆଶା କରାଯାଉଥିଲା କି ଚାଷୀଙ୍କ ଆନ୍ଦୋଳନ ଥମିଯିବ। ମାତ୍ର ପୁଣି ବଳଗୋଟାଇଛନ୍ତି ଚାଷୀ।  କୃଷି ଆଇନକୁ ନେଇ ଚାଲିଥିବା ଆନ୍ଦୋଳନ ଥମିବାର ନାଁ ଧରୁନାହିଁ। ଦିଲ୍ଲୀର ସିଂଘୁ, ଗାଜିପୁର ଓ ଟିକ୍ରି ସୀମାରେ  ଆନ୍ଦୋଳନକାରୀ ପୂର୍ବପରି ରାସ୍ତା ଅବରୋଧ କରି ଜାରି ରଖିଛନ୍ତି। ତେବେ ଏହି ସବୁ ଅଂଚଳର ସ୍ଥାନୀୟ ବାସିନ୍ଦା ଚାଷୀଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି। ଫଳରେ ଆନ୍ଦୋଳନକାରୀ ଚାଷୀ ଓ ସ୍ଥାନୀୟ ଅଧିବାସୀଙ୍କ ଭିତରେ ହାତାହାତି ଆରମ୍ଭ ହୋଇଯାଇଛି। ପରିସ୍ଥିତି ଅଣାୟତ୍ତ ହେବା ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଶନିବାର ସିଂଘୁ, ଗାଜିପୁର, ଟିକ୍ରି ସୀମା ଏବଂ ଏହି ସୀମାଗୁଡ଼ିକୁ ଯୋଡୁଥିବା ଅଞ୍ଚଳରେ ଇଣ୍ଟରନେଟ ସେବାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି କି ଜାନୁଅରି ୨୯ ତାରିଖ ରାତି ୧୧ଟାରୁ ୩୧ ତାରିଖ ରାତି ୧୧ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖିବା ଅତ୍ୟନ୍ତ ଆବଶ୍ୟକ ।

ଜାଣିବାକୁ ମିଳିଛି ଯେ ଉତ୍ତରପ୍ରଦେଶର ମୁଜାଫର୍‌ନଗର ଅଞ୍ଚଳର ହଜାର ହଜାର କୃଷକ କିସାନ ମହାପଞ୍ଚାୟତରେ ଅଂଶଗ୍ରହଣ କରିବାକୁ ନିଜର ସମର୍ଥନ ଦେଇ ଗାଜିପୁର ସୀମାଆଡ଼କୁ ଅଗ୍ରସର ହେଉଥିବା ରାଲିରେ ସାମିଲ୍‌ ହେଉଛନ୍ତି । ଏହାକୁ ଆଖିରେ ରଖି ଗାଜିଆବାଦ୍‌ ଏବଂ ଗାଜିପୁରକୁ ସଂଯୁକ୍ତ କରୁଥିବା ଜାତୀୟ ରାଜପଥ-୨୪କୁ ବନ୍ଦ କରି ଦିଆଯାଇଛି ବୋଲି ଦିଲ୍ଳୀ ଟ୍ରାଫିକ୍‌ ପୁଲିସ୍‌ ସୂଚନା ଦେଇଛି।

ଗତକାଲି ହରିଆଣା ସରକାର ରାଜ୍ୟର ୧୪ଟି ଜିଲ୍ଲାରେ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଇଣ୍ଟର୍‌ନେଟ୍ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରି ଦେଇଥିଲେ। ଆମ୍ବଲା, ଯମୁନା ନଗର, କୁରୁକ୍ଷେତ୍ର, କର୍ଣ୍ଣାଲ୍‌, କୈଥାଲ୍‌, ପାନିପଥ, ହିସାର, ଜିନ୍ଦ୍‌, ରୋହତକ୍‌, ଭିୱାନି, ଚରଖି ଦାଦ୍‌ରି, ଫତେହ୍‌ବାଦ୍‌, ରେୱାରି ଏବଂ ଶୀର୍ଷାରେ କେବଳ ଭଏସ୍‌ କଲ୍‌ ସୁବିଧା ଉପଲବ୍ଧ ଥିଲା। ଜାତୀୟ ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସରକାର ପରବର୍ତ୍ତୀ ସମୟରେ ସୋନିପଥ୍‌, ପଲୱାଲ୍‌ ଏବଂ ଝାଜର୍‌ ଅଞ୍ଚଳରେ ମଧ୍ୟ ଇଣ୍ଟରନେଟ୍‌ ସେବାକୁ ବନ୍ଦ ରଖିଥିଲେ।

ସମ୍ବନ୍ଧିତ ଖବର