ନୂଆଦିଲ୍ଲୀ: ଦୁଷ୍କର୍ମ, ଯୌନ ନିର୍ଯାତନା, ଅପହରଣ ଆଦି ବହୁବିଧ ଜଘନ୍ୟ ଅପରାଧରେ ସଂପୃକ୍ତ ଥାଇ ଦେଶ ଛାଡ଼ି ପଳାତକ ସାଜିଥିବା ଆତ୍ମଘୋଷିତ ଧର୍ମଗୁରୁ ନିତ୍ୟାନନ୍ଦଙ୍କ ଗିରଫଦାରୀ ପାଇଁ ଆଜି ଇଣ୍ଟରପୋଲ ପକ୍ଷରୁ ଏକ ‘ବ୍ଲୁ କର୍ଣ୍ଣର ନୋଟିସ୍’ ଜାରି କରାଯାଇଥିବା ଜାଣିବାକୁ ମିଳିଛି। ପଳାତକ ଅଭିଯୁକ୍ତ ନିତ୍ୟାନନ୍ଦଙ୍କୁ ଗିରଫ କରିବା ପାଇଁ ଗୁଜୁରାଟ ପୁଲିସ୍ ଇଣ୍ଟରପୋଲର ସହାୟତା ଲୋଡ଼ିବା ପରେ ଇଣ୍ଟରପୋଲ ପକ୍ଷରୁ ନିତ୍ୟାନନ୍ଦଙ୍କ ନାମରେ ଏହି ‘ବ୍ଲୁ କର୍ଣ୍ଣର ନୋଟିସ୍’ ଜରି କରାଯାଇଛି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏକାଧିକ ଦୁଷ୍କର୍ମ ଓ ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ ରହିଥିବା ଆତ୍ମଘୋଷିତ ଧର୍ମଗୁରୁ ନିତ୍ୟାନନ୍ଦ ଗତ ଡିସେମ୍ବର ମାସରେ କିଛି ନବାଳିକାଙ୍କୁ ଅପହରଣ କରିନେଇ ତାଙ୍କ ଆଶ୍ରମରେ ବନ୍ଧକ ରଖିଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଥିଲା। ଏହି ଘଟଣାର ତଦନ୍ତ କରି ଗୁଜୁରାଟ ପୁଲିସ ନିତ୍ୟାନନ୍ଦଙ୍କର ଦୁଇଜଣ ଶିଷ୍ୟାଙ୍କୁ ଗିରଫ କରିଥିଲେ। ଏହି ଘଟଣାରେ ପରେ ନିଜ ଗିରଫଦାରୀକୁ ଏଡାଇବା ପାଇଁ ଅଭିଯୁକ୍ତ ନିତ୍ୟାନନ୍ଦ ଦେଶଛାଡ଼ି ପଳାତକ ସାଜିଥିଲେ।
/sambad/media/post_attachments/wp-content/uploads/2020/01/Nityanand.jpeg)
ତେବେ ନିତ୍ୟାନନ୍ଦ ଦେଶଛାଡ଼ି ପଳାତକ ସାଜିବାର ଆଶଙ୍କାକୁ ଦୃଷ୍ଟିରେ ରଖି ବୈଦେଶିକ ମନ୍ତ୍ରାଳୟ ତାଙ୍କ ପାସ୍ପୋର୍ଟକୁ ରଦ୍ଦ କରିବା ସହ ଗୁଜୁରାଟ ପୁଲିସ୍ ଦେଶର ସମସ୍ତ ବିମାନ ବନ୍ଦରକୁ ନିତ୍ୟାନନ୍ଦଙ୍କ ନାମରେ ରେଡ୍ କର୍ଣ୍ଣର ନୋଟିସ ଜାରି କରିଥିଲେ। ଏହା ସତ୍ତ୍ୱେ ଅଭିଯୁକ୍ତ ନିତ୍ୟାନନ୍ଦ ଜାଲ ପାସପୋର୍ଟ ସାହାଯ୍ୟରେ ଦେଶଛାଡ଼ି ପଳାତକ ସାଜିବାରେ ସମର୍ଥ ହୋଇଥିଲେ।
ନିତ୍ୟାନନ୍ଦ ଏବେ ଇକ୍ୱେଡର କିମ୍ବା ହାଇତିରେ ଆତ୍ମଗୋପନ କରିଥିବା ଗୁଜୁରାଟ ପୁଲିସ୍ ସନ୍ଦେହ କରୁଛି। ବିଦେଶରେ ଆତ୍ମଗୋପନ କରିଥିଲେ ମଧ୍ୟ ଦେଶରେ ଅସ୍ଥିରତା ସୃଷ୍ଟି ଲାଗି ନିତ୍ୟାନନ୍ଦ ଉଦ୍ୟମ ଜାରି ରଖିଥିବାରୁ ଶେଷରେ ତାଙ୍କ ଗିରଫଦାରୀ ପାଇଁ ଗୁଜୁରାଟ ପୁଲିସ୍ ଇଣ୍ଟରପୋଲର ସହାୟତା ଲୋଡ଼ିଛି।