ଅନ୍ତଃରାଜ୍ୟ ଜଳବିବାଦ: ଫଳପ୍ରଦ ହେଉନି ଆପୋସ ଆଲୋଚନା
ବର୍ଷବର୍ଷ ଧରି ଅଦାଲତରେ ଗଡ଼ୁଛି ମାମଲା
ନୂଆଦିଲ୍ଲୀ : ଦୀର୍ଘ ଦିନରୁ ଲାଗିରହିଥିବା ଅନ୍ତଃ ରାଜ୍ୟ ଜଳବିବାଦ ମାମଲାଗୁଡ଼ିକର ସମାଧାନ ଅଫିସର ସ୍ତରୀୟ ବୈଠକ କିମ୍ବା ରାଜନୈତିକ ବିଚାରବିମର୍ଶ ଜରିଆରେ ହୋଇପାରୁନାହିଁ। ଅନ୍ୟ ପକ୍ଷରେ ଅଦାଲତ ଓ ଟ୍ରିବ୍ୟୁନାଲ ଏହା ଉପରେ ଲଗାତାର ଗୁରୁତ୍ବାରୋପ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୁପ୍ରିମକୋର୍ଟ ପୋଲାଭରମ ପ୍ରକଳ୍ପ ମାମଲାରେ କେନ୍ଦ୍ର ସରକାରଙ୍କୁ ରାଜ୍ୟମାନଙ୍କର ଆପତ୍ତି ଓ ଅଭିଯୋଗ ଉପରେ ସମାଧାନ ପାଇଁ ବିଚାର କରିବା ପାଇଁ କହିଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ସତଲେଜ-ଯମୁନା ସଂଯୋଗ କେନାଲକୁ ନେଇ ପଞ୍ଜାବ ଓ ହରିୟାଣା ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ ଦିଗରେ କେନ୍ଦ୍ର ସରକାରଙ୍କୁ ବୁଝାମଣା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହ ଦକ୍ଷିଣ ଜୋନାଲ୍ ପରିଷଦର ୩୦ତମ ବୈଠକରେ ଦକ୍ଷିଣ ରାଜ୍ୟଗୁଡ଼ିକୁ ଆ ପୋଷ ଆଲୋଚନା ମଧ୍ୟରେ ନଦୀ ଜଳ ବିବାଦଗୁଡ଼ିକର ସମାଧନ କରନ୍ତୁ ବୋଲି କହିଥିଲେ।
ତେବେ ଅତୀତ ଘଟଣାବଳୀକୁ ଦେଖିଲେ ଆପୋସ ଆଲୋଚନା ଦ୍ବାରା ନଦୀ ଜଳ ବିବାଦ ସମାଧାନ ଉତ୍ସାହଜନକ ନୁହେଁ। ଦୀର୍ଘ ଦିନରୁ ଓଡ଼ିଶାର ପୋଲାଭରମ ସୁପ୍ରିମକୋର୍ଟରେ ଓ ମହାନଦୀ ଜଳ ବିବାଦ ମାମଲା ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ଏହି ଦୁଇ ମାମଲାରେ ଆଜି ପର୍ଯ୍ୟନ୍ତ ଅଫିସର ସ୍ତରୀୟ କିମ୍ବା ରାଜନୈତିକ ସ୍ତରରେ କୌଣସି ସମାଧାନ ବାହାରି ପାରିନାହିଁ। ଉଭୟ ମାମଲାରେ ଏକାଧିକ ଥର ବୈଠକ ହୋଇସାରିଛି। ଆପେସ ବୁଝାମଣା ଦ୍ବାରା ନଦୀ ଜଳ ବିବାଦ ମାମଲାର ସମାଧାନ ଏକ ପ୍ରକାର ପ୍ରାସଙ୍ଗିକତା ହରାଉଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।। ଏମାନଙ୍କ କହିବା କଥା ହେଲା, ଅଧିକାରୀ ସ୍ତରୀୟ ବୈଠକରେ ମାମଲାଗୁଡ଼ିକର ସମାଧାନ ପାଇଁ କୌଣସି ସଂସ୍ଥାଗତ କାର୍ଯ୍ୟ ପଦ୍ଧତି ନାହିଁ, ଯାହାଫଳରେ ବୁଝାମଣାର ନିଷ୍କର୍ଷ ବାହାରିପାରୁନାହିଁ। ଅନ୍ୟ ପଟେ ବର୍ଷ ବର୍ଷ ଧରି ଅଦାଲତରେ ମାମଲା ଗଡ଼ୁଛି।
ପୋଲାଭରମ ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରକଳ୍ପ ଦ୍ବାରା ପ୍ରଭାବିତ ହେବାକୁ ଥିବା ରାଜ୍ୟମାନଙ୍କ ସହିତ ଆଲୋଚନା ପାଇଁ କହିଛନ୍ତି। କେନ୍ଦ୍ର ଦ୍ବାରା ଡକାଯିବାକୁ ଥିବା ବୈଠକରେ ଓଡ଼ିଶା ଯୋଗ ଦେବ କି ନାହିଁ ତାହା ସବୁଠାରୁ ବଡ଼ ପ୍ରଶ୍ନ। ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ପୂର୍ବରୁ ଅର୍ଥାତ ନଭେମ୍ବର ୨୦୨୦ରେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁସାରେ ପଛୁଆ ଜଳ ସମସ୍ୟାର ସମାଧାନ ପାଇଁ ସମନ୍ବୟକାରୀ ଭୂମିକା ତୁଲାଇଥିଲା କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଏଥି ପାଇଁ ଏକ ବୈଠକ ଡକାଯାଇଥିଲା। ବୈଠକରେ ଓଡ଼ିଶା ଯୋଗ ଦେଇନଥିଲା। ସେହି ଭଳି ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ଆପୋସ ଆଲୋଚନା ପାଇଁ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସଚିବ ସ୍ତରୀୟ ବୈଠକରେ ଆଜି ସୁଦ୍ଧା କୌଣସି ଆଖିଦୃଶିଆ ପ୍ରଗତି ହୋଇପାରିନାହିଁ।
ମହାନଦୀ ଜଳ ବିବାଦ ମାମଲାରେ ମଧ୍ୟ ଆପୋସ ଆଲୋଚନା ପାଇଁ ଟ୍ରିବ୍ୟୁନାଲ ମଧ୍ୟ ଏକାଧିକ ଥର ପରାମର୍ଶ ଦେଇଛନ୍ତି। ଏହା ପରେ ମଧ୍ୟ ବିବାଦର ସମାଧାନକୁ ନେଇ କୌଣସି ରାସ୍ତା ବାହାରି ପାରିନାହିଁ। ମାମଲାର ଶୁଣାଣି ଟ୍ରିବ୍ୟୁନାଲରେ ଜାରୀ ରହିଛି। ଟ୍ରିବ୍ୟୁନାଲ ଗଠନ ହେବାର ଚାରିବର୍ଷ ବିତିଯାଇଥିଲେ ସତ୍ତ୍ବେ ଟ୍ରିବ୍ୟୁନାଲ କୌଣସି ଆଦେଶ ଜାରୀ କରିନାହାନ୍ତି। ମାମଲା ଯେଉଁଠି ଥିଲା ସେଇଠି ରହିଛି। ଅନ୍ୟ ପଟେ ନ୍ୟାୟାଳୟ ଓ ଟ୍ରିବ୍ୟୁନାଲଙ୍କ ଲମ୍ବା ଆଇନଗତ ପ୍ରକ୍ରିୟା ଯୋଗୁଁ ତ୍ବରିତ ନ୍ୟାୟ ମିଳୁ ନାହିଁ।