ଜନସଂଖ୍ୟା ଆକଳନରେ ଅନ୍ତର

ନୂଆଦିଲ୍ଲୀ: ଜାତିସଂଘ ପକ୍ଷରୁ ନିକଟରେ ବିଶ୍ବ ଜନସଂଖ୍ୟା ସଂପର୍କରେ ତଥ୍ୟ ପ୍ରକାଶ ପାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ ୨୦୩୦ ସୁଦ୍ଧା ଭାରତର ଜନସଂଖ୍ୟା ୧୫୧ କୋଟି ଟପିଯିବ। ଜନସଂଖ୍ୟା ଉପରେ ଭାରତ ସରକାରଙ୍କ ବୈଷୟିକ ଗୋଷ୍ଠୀର ଆକଳନରେ ଟିକେ ଭିନ୍ନତା ରହିଛି। ଭାରତ ସରକାରଙ୍କ ବୈଷୟିକ ଗୋଷ୍ଠୀର ଆକଳନ ଅନୁଯାୟୀ ଭାରତର ଜନସଂଖ୍ୟା ଚଳିତ ଦଶନ୍ଧି ଶେଷ ସୁଦ୍ଧା ୧୪୭ କୋଟି ରହିବ। ୨୦୨୦ ଜୁଲାଇର ରିପୋର୍ଟ ଆଧାରରେ ଏହା କୁହାଯାଇଛି। ଭାରତ ସରକାର ଏବଂ ଜାତିସଂଘର ଆକଳନ ଅନୁଯାୟୀ ଭାରତର ଜନସଂଖ୍ୟାରେ ୪୧ ନିୟୁତର ଅନ୍ତର ରହୁଛି। ଅତୀତର ଆକଳନ ପାଇଁ ଏଭଳି ହୋଇଛି। ୧୯୬୦ ଦଶକରୁ ଜାତିସଂଘ ଓ ଭାରତ ପକ୍ଷରୁ ଜନସଂଖ୍ୟା ବୃଦ୍ଧି ନେଇ ଯେଉଁ ଆକଳନ କରାଯାଇଛି ସେଥିରେ ସମାନତା ରହିଛି। କିନ୍ତୁ ୧୯୫୧ରୁ ୧୯୬୧ ମଧ୍ୟରେ ଜାତିସଂଘର ଆକଳନରେ ଭାରତର ଜନସଂଖ୍ୟା ଅଧିକ ରହିଥିଲା।

ଜାତସଂଘ ପକ୍ଷରୁ ଭାରତ ଜନସଂଖ୍ୟାର ଆକଳନ ଲୋକଙ୍କ ହାରାହାରି ଆୟୁ ଏବଂ ମୃତ୍ୟୁ ହାରକୁ ନେଇ ପ୍ରସ୍ତୁତ ହୋଇଥିଲା। ତେଣୁ ୧୯୬୧ରେ ଭାରତ ସରକାରଙ୍କ ଆକଳନ ତୁଳନାରେ ଜାତିସଂଘର ଆକଳନରେ ଭାରତର ଜନସଂଖ୍ୟା ୧୧ ନିୟୁତ ବା ୧ କୋଟି ୧୦ ଲକ୍ଷ ଅଧିକ ଦର୍ଶାଯାଇଥିଲା।
୧୯୬୧ରୁ ଜନସଂଖ୍ୟା ଆକଳନରେ ଯଦିଓ ପାର୍ଥକ୍ୟ ସେତେଟା ଅଧିକ ନଥିଲା ତଥାପି ୨୦୧୧ ବେଳକୁ ଏହି ପାର୍ଥକ୍ୟ ୩୮ ନିୟୁତ ବା ୩.୮ କୋଟି ଏବଂ ୨୦୩୦ ସୁଦ୍ଧା ଏହା ୪୧ ନିୟୁତ ବା ୪.୧ କୋଟିକୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି। ଏକ ବିଶ୍ଳେଷଣରୁ ଜଣାଯାଇଛି ଯେ ଯଦିଓ ଜାତିସଂଘରେ ଭାରତର ଜନସଂଖ୍ୟା ଅଧିକ ରହିବ ବୋଲି ଦର୍ଶାଯାଇଛି ତଥାପି ଏହାର ଜନସଂଖ୍ୟା ବୃଦ୍ଧି ହାର ଭାରତ ସରକାରଙ୍କ ବୈଷୟିକ ଗୋଷ୍ଠୀର ଆକଳନ ତୁଳନାରେ କମ୍ ରହିଛି। ଭାରତ ସରକାରଙ୍କ ବୈଷୟିକ ଗୋଷ୍ଠୀର ଆକଳନ ଅନୁଯାୟୀ, ଭାରତର ଜନସଂଖ୍ୟା ୨୦୧୧ରୁ ୨୦୩୦ ମଧ୍ୟରେ ବାର୍ଷିକ ୧.୦୨ ପ୍ରତିଶତ ଚକ୍ରବୃଦ୍ଧି ହାରରେ ବଢ଼ିବ। କେବଳ ୨୦୨୫ରୁ ୨୦୩୦ ମଧ୍ୟରେ ଜାତିସଂଘର ଆକଳନ ତୁଳନାରେ ଭାରତର ଜନସଂଖ୍ୟା ବୃଦ୍ଧି ହାର କମ୍‌ ରହିବ।

କୋଭିଡ-୧୯ ମହାମାରୀ ଦ୍ବାରା ‌ସୃଷ୍ଟି ହୋଇଥିବା ବିଭୀଷିକାକୁ ଭାରତର ଆକଳନରେ ବିଚାରକୁ ନିଆଯାଇ ନାହିଁ। ତେବେ ଜାତିସଂଘ ପକ୍ଷରୁ ହୋଇଥିବା ୨୦୨୨ ଆକଳନରେ ଏହି ବିଷୟ ସମ୍ଭବତଃ ବିଚାରକୁ ନିଆଯାଇ ଥାଇପାରେ। ଜାତିସଂଘର ୨୦୧୯ ଆକଳନରେ ୨୦୧୯ରୁ ୨୦୨୫ ମଧ୍ୟରେ ଭାରତର ଜନସଂଖ୍ୟା ବୃଦ୍ଧି ବାର୍ଷିକ ୦.୯୪ ପ୍ରତିଶତ ଚକ୍ରବୃଦ୍ଧି ହାରରେ ଆଗକୁ ବଢ଼ିବ ବୋଲି କୁହାଯାଇଥିଲା। କିନ୍ତୁ ନୂଆ ଆକଳନରେ ଉକ୍ତ ସମୟ ମଧ୍ୟରେ ଭାରତର ଜନସଂଖ୍ୟାର ବୃଦ୍ଧି ହାର ୦.୮୫ ପ୍ରତିଶତ ରହିବ। କୋଭିଡ ସମୟରେ ମୃତ୍ୟୁ ହାରରେ ମଧ୍ୟ ଭିନ୍ନତା ରହିଛି। ସରକାରଙ୍କ ଆକଳନରେ କୋଭିଡ ମୃତ୍ୟୁ ୫,୩୦,୫୯୬ ରହିଛି। କିନ୍ତୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆକଳନରେ ଏହି ସଂଖ୍ୟା ୪୭ ଲକ୍ଷ ରହିଛି। ତେବେ ଦ ଇକୋନୋମିଷ୍ଟ ପକ୍ଷରୁ କରାଯାଇଥିବା ଏକ ମଡେଲରେ କୋଭିଡ ମୃତ୍ୟୁସଂଖ୍ୟା ୫୦ ଲକ୍ଷ ରଖାଯାଇଛି।

ସମ୍ବନ୍ଧିତ ଖବର