ନୂଆଦିଲ୍ଲୀ: ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଗତକାଲି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ମାଧବୀ ବୁଚ୍‌ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିବା ପରେ ଏହାକୁ ନେଇ ଦେଶରେ ରାଜନୈତିକ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ‌ଯୁଗ୍ମ ସଂସଦୀୟ କମିଟି(ଜେପିସି) ଦ୍ବାରା ଏହି ଅଭିଯୋଗର ତଦନ୍ତ ପାଇଁ ବିରୋଧୀ କଂଗ୍ରେସ ଦାବି କରିଛି। ସେବି ଅଧ୍ୟକ୍ଷାଙ୍କ ବିରୋଧରେ ଅଭିଯୋଗ ଆସିଥିବାରୁ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କଂଗ୍ରେସ କହିଛି।
ଦୀର୍ଘ ପ୍ରାୟ ୧୮ ମାସ ପରେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଆସିଥିବା ଦ୍ବିତୀୟ ରିପୋର୍ଟରେ ମାଧବୀ ବୁଚ୍‌ ଓ ତାଙ୍କ ସ୍ବାମୀ ଧବଲ ବୁଚ୍‌ଙ୍କ ବିରୋଧରେ ଅଭିଯୋଗ ଆସିଛି। ଆଦାନିଙ୍କ ଅର୍ଥ ତୋସରପାତ ଦୁର୍ନୀତି ସହ ଜଡ଼ିତ ବିଦେଶୀ ଫଣ୍ଡ୍‌ରେ ଏହି ଦମ୍ପତିଙ୍କର ଅଂଶଧନ ରହିଥିବା ଅଭିଯୋଗ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଣିଛି।

Advertisment

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘେରିଛନ୍ତି। ଆଦାନି ମାମଲାରେ ଜେପିସି ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ କାହିଁକି ଡରୁଛନ୍ତି ବୋଲି ରାହୁଲ କହିଛନ୍ତି। ଦେଶର ନିବେଶକମାନେ ଯଦି ସେମାନଙ୍କ କଷ୍ଟଲବ୍ଧ ଅର୍ଥ ହରାନ୍ତି ତା’ହେଲେ ଏଥିପାଇଁ କିଏ ଅର୍ଥାତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନା ସେବି ଅଧ୍ୟକ୍ଷା ମାଧବୀ ବୁଚ୍‌ ନା ଗୌତମ ଆଦାନି ଦାୟୀ ରହିବେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଏଥିସହିତ ସଚ୍ଚୋଟ ନିବେଶକମାନେ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ସେବି ଅଧ୍ୟକ୍ଷା ବର୍ତ୍ତମାନ ସୁଦ୍ଧା କାହିଁକି ଇସ୍ତଫା ଦେଇନାହାନ୍ତି ବୋଲି ରାହୁଲ କହିଛନ୍ତି। ଗୁରୁତର ଅଭିଯୋଗ ଆସିଥିବାରୁ ସୁପ୍ରିମକୋର୍ଟ ନିଜଆଡ଼ୁ ଏହି ମାମଲାକୁ ପୁଣିଥରେ ସଂଜ୍ଞାନକୁ ନେବେ କି ବୋଲି ରାହୁଲ ସାମାଜିକ ଗଣମାଧ୍ୟମରେ କହିଛନ୍ତି। ୨୦୨୩ ଜାନୁଆରିରେ ଆଦାନି(ପ୍ରଧାନମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ)ଙ୍କ ବିରୋଧରେ ଯେଉଁ ଅଭିଯୋଗ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଣିଥିଲା ସରକାର ସୁପ୍ରିମକୋର୍ଟରେ ସେସବୁକୁ ଅସ୍ବୀକାର କରିଛନ୍ତି ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼୍‌ଗେ କହିଛନ୍ତି। ନୂଆ ଅଭିଯୋଗରେ ସେବି ମୁଖ୍ୟଙ୍କ ସହିତ ଦେବା-ନେବା ସଂପର୍କ ନେଇ ଅଭିଯୋଗ ଅଣାଯାଇଛି। ମଧ୍ୟମ ଆୟବର୍ଗର କ୍ଷୁଦ୍ର ଏବଂ ମଧ୍ୟମ ଧରଣର ନିବେଶକମାନେ ଷ୍ଟକ୍‌ ବଜାରରେ କରୁଥିବା ସେମାନଙ୍କ କଷ୍ଟଲବ୍ଧ ନିବେଶକୁ ସୁରକ୍ଷା ମିଳିବା ଉଚିତ। ଏହି ବଡ଼ ଦୁର୍ନୀତିର ତଦନ୍ତ ପାଇଁ ଜେପିସି ଅପରିହାର୍ଯ୍ୟ ବୋଲି ଖଡ଼ଗେ କହିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସହଯୋଗକୁ ଘଣ୍ଟ ଘୋଡ଼ାଇବା ନେଇ ଆମେ ଚିନ୍ତିତ। ଏପରିକି ଏହି କାର୍ଯ୍ୟରେ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ମଧ୍ୟ ସାମିଲ କରାଯିବ।

ହିଣ୍ଡେନ୍‌ବର୍ଗ ଅଭିଯୋଗ
ବିଜେପି କହିଲା ଷଡ଼୍‌ଯନ୍ତ୍ର
‘ସେବି’ର ଟ୍ବିଟର୍‌ ଆକାଉଣ୍ଟ୍‌ ବନ୍ଦ ଉପରେ ପ୍ରଶ୍ନ ଉଠାଇଲେ ବିରୋଧୀ

ସେବିର ଅଫିସିଆଲ ଟ୍ବିଟର ଆକାଉଣ୍ଟ ବର୍ତ୍ତମାନ କ’ଣ ପାଇଁ ବନ୍ଦ ରହିଛି ଏବଂ ଲୋକମାନେ ତାହାକୁ ଆକ୍ସେସ୍‌ କରିପାରୁନାହାନ୍ତି ତାହା ଉପରେ ବିରୋଧୀ କଂଗ୍ରେସ ପ୍ରଶ୍ନ ଉଠାଇଛି। ସେବି ମୁଖ୍ୟଙ୍କ ବିରୋଧରେ ପଦବିରେ ରହି ବ୍ୟକ୍ତିଗତ ସ୍ବାର୍ଥ ହାସଲ କାର୍ଯ୍ୟ କରିଥିବା ଭଳି ଗୁରୁତର ଅଭିଯୋଗ ଆସିଥିବାବେଳେ ସେବିର ଟ୍ବିଟର ଆକାଉଣ୍ଟ ଖୋଲୁନାହିଁ। ଏହା ଚକିତ କରିଛି। ‘ମୋଦାନି’ ସ୍କାମ ଗତ କିଛିମାସ ହେଲା ସାମ୍ନାକୁ ଆସିଥିଲେ ମଧ୍ୟ ସେବି କୌଣସି କାର୍ଯ୍ୟାନୁଷ୍ଠାନ ‌ନନେବା ନିରାଶ କରିଛି ବୋଲି କଂଗ୍ରେସ ସାଧାରଣ ସଂପାଦକ ଜୟରାମ ରମେଶ କହିଛନ୍ତି। ସେହିପରି ଇଣ୍ଡିଆ ବ୍ଲକ୍‌ର ତୃଣମୂଳ କଂଗ୍ରେସ, ଆମ୍‌ ଆଦ୍‌ମୀ ପାର୍ଟି ଓ ସିପିଆଇଏମ୍‌ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାରର ଶିଳ୍ପପତି ଗୌତମ ଆଦାନିଙ୍କ ସହିତ ଥିବା ନିବିଡ଼ ସଂପର୍କକୁ ସମାଲୋଚନା କରାଯାଇଛି। କିନ୍ତୁ ବିଜେପି ନେତା ରାଜୀବ ଚନ୍ଦ୍ରଶେଖର ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ଭାରତର ଆର୍ଥିକ ବ୍ୟବସ୍ଥାକୁ ଅସ୍ଥିର କରିବା ଲାଗି ଏହା ଗୋଟିଏ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଆମ ଦେଶର ନିୟାମକ ସଂସ୍ଥା, ଷ୍ଟକ ମାର୍କେଟ ଏବଂ ଆର୍ଥିକ ବ୍ୟବସ୍ଥାକୁ ବଦନାମ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର। ଭାରତର ଅର୍ଥନୀତି ସଂପ୍ରସାରଣ ଓ ଅଗ୍ରଗତି ପଥରେ ଆଗକୁ ବଢ଼ୁଥିବାରୁ ଏଭଳି ଶକ୍ତିକୁ ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ ବୋଲି ସେ ମତ ଦେଇଛନ୍ତି। ସେହିଭଳି ବିଜେପି ସାଂସଦ ତଥା ପ୍ରବକ୍ତା ସୁଧାଂଶୁ ତ୍ରିବେଦୀ କହିଛନ୍ତି, ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ରିପୋର୍ଟ ପଛରେ କଂଗ୍ରେସର ହାତ ରହିଛି। ସଂସଦ ଚାଲିଥିବାବେଳେ କେବଳ ଏଭଳି ବିଦେଶୀ ରିପୋର୍ଟ ଆସିଥାଏ ବୋଲି ସେ କହିଛନ୍ତି।