ନୂଆଦିଲ୍ଲୀ: ଲାଲକିଲ୍ଲା ଆତଙ୍କବାଦୀ ଆତ୍ମଘାତୀ ବିସ୍ଫୋରଣରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିବା ଫରିଦାବାଦ ‌‌ଧୌଜ୍‌ଠାରେ ଅବସ୍ଥିତ ବିବାଦୀୟ ଅଲ୍-ଫଲାହ ଘରୋଇ ବିଶ୍ୱବିଦ୍ୟାଳୟ ଦିନକୁ ଦିନ ନୂଆ ବିବାଦ ଓ ବେଆଇନ କାରବାରରେ ଛନ୍ଦି ହୋଇ ପଡ଼ୁଛି। ହରିୟାଣା ସରକାର ବର୍ତ୍ତମାନ ଅଲ୍-ଫଲାହ ଘରୋଇ ବିଶ୍ୱବିଦ୍ୟାଳୟର ୭୦ ଏକର ଜମି ସାଙ୍ଗକୁ ନିର୍ମାଣାଧୀନ କୋଠାବାଡ଼ି ସଂକ୍ରାନ୍ତ ସମସ୍ତ ରେକର୍ଡର ତଦନ୍ତ ଆରମ୍ଭ କରିଛନ୍ତି।  ହରିୟାଣା ସରକାର ମଧ୍ୟ ବିଶ୍ୱବିଦ୍ୟାଳୟର ମାନ୍ୟତା ସମ୍ବନ୍ଧୀୟ ପ୍ରସଙ୍ଗ ନେଇ ଖୁବ୍‌ଶୀଘ୍ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ବିଶ୍ବବିଦ୍ୟାଳୟର ଆର୍ଥିକ ଅନିୟମିତତା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଯାଞ୍ଚ ଜାରି ରହିଛି। ବିଶ୍ୱବିଦ୍ୟାଳୟର ଆର୍ଥିକ କାରବାରର ଆକାଉଣ୍ଟ୍‌ଗୁଡ଼ିକର ବିସ୍ତୃତ ଫରେନସିକ୍ ଯାଞ୍ଚ କରିବା ସମୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଉଠିଛି।

Advertisment

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏବଂ ଜାତୀୟ ମୂଲ୍ୟାୟନ ଓ ମାନ୍ୟତା ପରିଷଦ (ଏନ୍‌ଏଏସି) ଦ୍ୱାରା  ବିଶ୍ବବିଦ୍ୟାଳୟ ବିରୋଧରେ ଜାଲିଆତି ଓ ଠକେଇ ଅଭିଯୋଗ ପରେ ଦିଲ୍ଲୀ ପୁଲିସ   ବିଶ୍ୱବିଦ୍ୟାଳୟ ବିରୋଧରେ ଦୁଇଟି ପୃଥକ ଏଫ୍ଆଇଆର୍ ରୁଜୁ କରିଛି।  କ୍ରାଇମବ୍ରାଞ୍ଚ ଦ୍ୱାରା ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ଏବଂ ଏହା ଏନ୍‌ଆଇଏକୁ ହସ୍ତାନ୍ତର କରାଯାଇଛି।  
ଦିଲ୍ଲୀ ଆତ୍ମଘାତୀ ଆକ୍ରମଣ ମାମଲାରେ ଆଜି ପୁଲିସ ହରିୟାଣାର ନୁହ ଏବଂ ଧୌଜ ଅଞ୍ଚଳରୁ ଆଉ ଦୁଇ ଜଣ ଡାକ୍ତରଙ୍କୁ ଗିରଫ କରିଛି। ସେମାନେ ହେଲେ ଡାକ୍ତର ମହମ୍ମଦ ଏବଂ ଡାକ୍ତର ମୁସ୍ତାକିମ।  ଏହା ବ୍ୟତୀତ ପଠାନକୋଟସ୍ଥିତ ମାମୁନ୍ କ୍ୟାଣ୍ଟ୍‌ର ଅନ୍ୟ ଜଣେ ଡାକ୍ତରଙ୍କୁ ମଧ୍ୟ ପୁଲିସ ଗିରଫ କରି ପଚରାଉଚରା କରୁଛି। ଏହି ୪୫ ବର୍ଷୀୟ ଅଭିଯୁକ୍ତ ଡାକ୍ତରର ନାମ ରଇସ ଅହମ୍ମଦ ଭଟ୍ଟ।  ଅଲ ଫଲାହ ବିଶ୍ୱବିଦ୍ୟାଳୟରେ ସେ ଚାରି ବର୍ଷଧରି କାର୍ଯ୍ୟ କରିଥିଲା ଏବଂ ଆତ୍ମଘାତୀ ଆକ୍ରମଣକାରୀ ଉମର ସହିତ ତାର ସମ୍ପର୍କ ରହିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଡାକ୍ତର ରଇସ ଗତ ତିନି ବର୍ଷ ଧରି ପିଏସ୍ ମାମୁନ୍ କ୍ୟାଣ୍ଟ୍ ହ୍ୱାଇଟ୍ ମେଡିକାଲ୍ କଲେଜରେ ଜଣେ ସର୍ଜନ ଭାବେ କାର୍ଯ୍ୟ କରୁଥିଲା।  ରଇସ ଅନନ୍ତନାଗ ଜିଲ୍ଲାର ବୋନା ଡାଏଲଗାମର ବାସିନ୍ଦା। ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ଏନ୍‌ଆଇଏ ଦ୍ୱାରା ଜଣେ ଏମ୍‌ବିବିଏସ୍‌ ଛାତ୍ର ଜାନିସୁର ଆଲମ  ମଧ୍ୟ ଗିରଫ ହୋଇଛି।