ପାଞ୍ଚ ଦିନରେ ନିବେଶକଙ୍କ ସମ୍ପତ୍ତି ୧୦ ଲକ୍ଷ କୋଟି ବଢ଼ିଲା

ମୁମ୍ବାଇ : ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ ସୂଚକାଙ୍କରେ ବୃଦ୍ଧିର ଧାରା ଜାରି ରହିଛି। ଗୁରୁବାର ମଧ୍ୟ ସେନ୍‌ସେକ୍ସ ୨୮୪ ପଏଣ୍ଟ୍‌ ବୃଦ୍ଧି ପାଇ ୫୫,୬୮୧ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଗତ ପାଞ୍ଚଟି କାରବାର ଦିନରେ ସେନ୍‌ସେକ୍ସରେ ୨,୨୬୫ ପଏଣ୍ଟ୍‌ ବୃଦ୍ଧି ଘଟିଛି। ଫଳରେ ଷ୍ଟକ ବଜାର ନିବେଶକମାନଙ୍କ ସମ୍ପତ୍ତିରେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ବୃଦ୍ଧି ହୋଇଛି।

ବୈଦେଶିକ ସଂସ୍ଥାଗତ ନିବେଶକମାନେ ୧୭୮୦.୯୪ କୋଟି ଟଙ୍କା ମୂଲ୍ୟର ସେୟାର କିଣିଛନ୍ତି। ଡଲାର ତୁଳନାରେ ଟଙ୍କାର ସ୍ଥିତିକୁ ଦୃଢ଼ କରିବାରେ ଏହା ସହାୟକ ହେବ। ଅନ୍ୟ ପକ୍ଷରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ୍ ପିଛା ଦାମ୍ ୧୦୩.୨ ଡଲାରକୁ ହ୍ରାସ ପାଇଛି। ସେଥିପାଇଁ ନିବେଶକମାନେ ମନ ଖୋଲି ବିଭିନ୍ନ ସଂସ୍ଥାର ସେୟାର କିଣିବାରେ ନିବେଶ କରିଛନ୍ତି। ତୈଳ, ଗ୍ୟାସ, ଶକ୍ତି, ରିଅଲ ଇଷ୍ଟେଟ୍‌ ଓ ବ୍ୟାଙ୍କର ସେୟାର ଆଜି ଚାହିଦାରେ ଥିଲା। ବମ୍ବେ ଷ୍ଟକ ବଜାରରେ ଆଜି ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ, ବଜାଜ ଫାଇନାନ୍ସ, ବଜାଜ ଫିନ୍‌ସର୍ଭ, ଏସିଆନ ପେଣ୍ଟ୍‌ସ, ଟେକ୍ ମହିନ୍ଦ୍ରା, ଆକ୍ସିସ୍ ବ୍ୟାଙ୍କ, ଏଲ୍‌ଆଣ୍ଡ୍‌ଟି ଓ ପାୱାର ଗ୍ରିଡ୍‌ର ସେୟାର ମୂଲ୍ୟ ବଢ଼ିଛି। ଡକ୍ଟର ରେଡିସ୍‌ ଲ୍ୟାବ୍, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସେୟାର ମୂଲ୍ୟ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର