ଟିକ୍-ଟକ୍ ବ୍ୟାନ ପରେ ଓଡ଼ିଆ ଯୁବକଙ୍କ ଦ୍ୱାରା ବିକଶିତ ଆପ ‘ଚିଙ୍ଗାରୀ’ର ବଢ଼ିଲା ଚାହିଦା, ନିବେଶ ପାଇଁ ଆଗ୍ରହ ଦେଖାଇଲେ ନିବେଶକ

ଭୁବନେଶ୍ୱର: ଟିକଟକ୍ ସମେତ ଚୀନର ୫୯ଟି ଆପର ବ୍ୟବହାରକୁ ଭାରତ ସରକାର ନିଷେଧ କରିବା ପରେ ଏବେ ଓଡ଼ିଆ ଯୁବକଙ୍କ ଦ୍ୱାରା ପ୍ରସ୍ତୁତ ଭାରତୀୟ ଆପ୍ ‘ଚିଙ୍ଗାରୀ’ର ଡାଉନଲୋଡ୍ ସଂଖ୍ୟା ବଢ଼ିବାରେ ଲାଗିଛି | ଚିଙ୍ଗାରୀର ପ୍ରସ୍ତୁତକର୍ତ୍ତା  ଓଡ଼ିଆ ଯୁବକଙ୍କ ନାଁ ବିଶ୍ୱାତ୍ମା ନାୟକ ଓ ସେ କଟକର ବାସିନ୍ଦା | ବର୍ତ୍ତମାନ ସେ ବେଙ୍ଗାଲୁରୁରେ ରହୁଥିବା ବେଳେ ଗତ ବର୍ଷ ନିଜ ସାଙ୍ଗ ସିଦ୍ଧାର୍ଥ ଗୌତମଙ୍କ ସହ ମିଶି ସେ ଏହି ଆପ୍ ତିଆରି କରିଥିଲେ |

ଭାରତ-ଚୀନ ମଧ୍ୟରେ ସମ୍ପର୍କ ଖରାପ ହେବା ପରେ ଏବେ ସରକାର ଚାଇନିଜ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ ‘ଚିଙ୍ଗାରୀ’ ଆପକୁ ଘଣ୍ଟାଏ ମଧ୍ୟରେ ପ୍ରାୟ ୧ଲକ୍ଷ ଜଣ ଡାଉନଲୋଡ୍ କରିଛନ୍ତି | ପୂର୍ବରୁ ଏହି ଆପ ୩ ମିଲିୟନରୁ ଅଧିକ ଥର ଡାଉନଲୋଡ୍ ହୋଇସାରିଛି | ଟିକ୍-ଟକ୍ ବ୍ୟବହାର କରି ନଥିବା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ‘ଚିଙ୍ଗାରୀ’କୁ ଡାଉନଲୋଡ୍ କରି ଏହା ବିଷୟରେ ଟ୍ୱିଟ୍ କରି କହିଛନ୍ତି ପ୍ରଶଂସା କରିଥିବା ଜଣା ପଡିଛି |

sambadenglish

ନିଜେ ତିଆରି କରିଥିବା ଆପର ଏଭଳି ଚାହିଦା ବଢୁଥିବା ଦେଖି ବିଶ୍ୱାତ୍ମା କହିଛନ୍ତି ଯେ, ଟିକଟକ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିବା ପରେ ଲୋକମାନେ ଆମେ ତିଆରି କରିଥିବା ଆପକୁ ଏକ ସହଜ ବିକଳ୍ପ ଭାବେ ବାଛି ନେଇଛନ୍ତି | ତେଣୁ ଆମେ ଆମର ଆପରେ ଆଶାଠାରୁ ଅଧିକ ଟ୍ରାଫିକ୍ ରେକର୍ଡ କରୁଛୁ। ‘ଚିଙ୍ଗାରୀ’ର ଚାହିଦା ଏବେ ବଢ଼ୁଥିବାରୁ ଅନେକ ନିବେଶକ ଆମ ଆପ୍ ପ୍ରତି ଆଗ୍ରହ ଦେଖାଉଛନ୍ତି | ଭଲ ନିବେଶକମାନଙ୍କୁ ପାଇବାକୁ ଆମେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରୁଛୁ, ଯାହା ଦ୍ୱାରା ଆମର ମାଗଣା ସାମାଜିକ ପ୍ଲାଟଫର୍ମକୁ ଆମେ ଆଗକୁ ନେଇ ପାରିବୁ ବୋଲି ବିଶ୍ୱାତ୍ମା ଏକ ବିବୃତିରେ କହିଛନ୍ତି।

ସୂଚନା ମୁତାବକ, ‘ଚିଙ୍ଗାରୀ’ ଆପ ଜଣେ ଉପଭୋକ୍ତାକୁ ଭିଡିଓ ଡାଉନଲୋଡ୍ ଏବଂ ଅପଲୋଡ୍ କରିବା, ସାଙ୍ଗମାନଙ୍କ ସହିତ ଚାଟ୍ କରିବା, ନୂତନ ଲୋକଙ୍କ ସହ ଯୋଗାଯୋଗ କରିବା, ବିଭିନ୍ନ ପ୍ରସଙ୍ଗ ସେୟାର କରିବା ଏବଂ ଫିଡ୍ ମାଧ୍ୟମରେ ବ୍ରାଉଜ୍ କରିବାକୁ ଅନୁମତି ଦିଏ | ଏହି ଆପ୍ ଇଂରାଜୀ, ହିନ୍ଦୀ, ବଙ୍ଗଳା, ଗୁଜରାଟୀ, ମରାଠୀ, କନ୍ନଡ, ପଞ୍ଜାବୀ, ମାଲାୟାଲମ୍, ତାମିଲ ଏବଂ ତେଲୁଗୁ ଭାଷାରେ ଉପଲବ୍ଧ | ଚିଙ୍ଗାରୀରେ  ଭିଡିଓକୁ ଯେତେ ଅଧିକ ଲୋକ ଦେଖନ୍ତି, ସେହି ଅନୁସାରେ ବିଷୟବସ୍ତୁ ପ୍ରସ୍ତୁତକର୍ତ୍ତାଙ୍କୁ ଟଙ୍କା ମିଳିଥାଏ | ‘ଚିଙ୍ଗାରି’ ଆପ୍ ଉଭୟ ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆପଲ୍ ଆପ୍ ଷ୍ଟୋର୍‌ରେ ଉପଲବ୍ଧ |

ସମ୍ବନ୍ଧିତ ଖବର