ନୂଆଦିଲ୍ଲୀ: ରବିବାର ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି ଉତ୍ସବରେ ବିଶେଷ ଅତିଥି ଭାବେ ଯୋଗ ଦେବାକୁ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ କାମ କରୁଥିବା ସଫେଇ କର୍ମଚାରୀ, କିନ୍ନର ଓ ଶ୍ରମିକମାନଙ୍କୁ ନିମନ୍ତ୍ରଣ କରାଯାଇଛି। ବନ୍ଦେ ଭାରତ ଓ ମେଟ୍ରୋ ଟ୍ରେନରେ କାର୍ଯ୍ୟରତ ରେଳ କର୍ମଚାରୀ ଓ କେନ୍ଦ୍ର ସରକାରଙ୍କ ଯୋଜନାର ହିତାଧିକାରୀମାନେ ବି ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ମୋଦୀଙ୍କ ତୃତୀୟ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଥିବା ‘ବିକଶିତ ଭାରତର ଦୂତ’ଙ୍କ ମଧ୍ୟରେ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଭବନରେ ୮ ହଜାରରୁ ଅଧିକ ଅତିଥିଙ୍କ ପାଇଁ ବ୍ୟବସ୍ଥା କରାଯାଉଛି।

Advertisment

ଏହି ସମାରୋହରେ ବିଭିନ୍ନ ଦକ୍ଷିଣ ଏସୀୟ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ ସେମାନଙ୍କ ଉପସ୍ଥିତିକୁ ନିଶ୍ଚିତ କରିସାରିଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ 'ପ୍ରଚଣ୍ଡ', ଭୁଟାନ ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବଗେ ଏବଂ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଥିବା ଜଣାଯାଇଛି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପରେ କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଆସିବାରେ ମୋଦୀ ହେଉଛନ୍ତି ଦ୍ୱିତୀୟ ଭାରତୀୟ।